ହାଣ୍ଡିଶାଳ ଉପରେ ସିଧାସଳଖ ମାଡ଼, ଏଲପିଜି ଦାମରେ ଆଉ ୨୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ ବହୁତ ବାଧୁଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ସିଧାସଳଖ ମାଡ଼ କରାଯାଇଛି । ୧୪.୨ କେଜି ବିଶିଷ୍ଟ ଏଲପିଜି ଦାମରେ ଆଉ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଗତ ୧୫ ଦିନ ଭିତରେ ଦ୍ୱିତୀୟ ଥର ଲାଗି ଏଲପିଜି ଦାମ ବଢ଼ିଛି । ଫଳରେ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦାମ୍ ୮୮୬ ଟଙ୍କାରୁ ବୃଦ୍ଧି ପାଇ ୯୧୧ ଟଙ୍କାରେ ପହଞ୍ଚିଛି । ଯେଉଁଭଳି ଭାବେ କିଛି ମାସ ହେଲାଣି ନିରନ୍ତର ଭାବେ ଏଲପିଜି ଦାମ୍ ବଢ଼ୁଛି ଏହା ଶୀଘ୍ର ୧୦୦୦ ଟଙ୍କା ସ୍ତର ଅତିକ୍ରମ କରିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ । ୨୦୨୧ରେ ଏଲପିଜି ମୂଲ୍ୟରେ ବର୍ତ୍ତମାନ ସୁଦ୍ଧା ୧୯୦ ଟଙ୍କା ୫୦ ପଇସାର ବୃଦ୍ଧି ହୋଇସାରିଲାଣି । ଗତ ତିନି ମାସ ଧରି ଏଲପିଜି ଦାମରେ ବାରମ୍ବାର ବୃଦ୍ଧି ହେଉଛି । ଗ୍ୟାସ କଂପାନିଗୁଡ଼ିକ ପ୍ରତି ମାସର ୧ ତାରିଖ ଓ ୧୫ ତାରିଖରେ ଦାମ ପରିବର୍ତ୍ତନ କରୁଛନ୍ତି । ସୂଚନାଯୋଗ୍ୟ ଯେ କିଛି ଦିନ ଭିତରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୭୬ ଡଲାରରୁ ୬୫ ଡଲାରକୁ ହ୍ରାସ ପାଇଛି । ଏହାର ପ୍ରଭାବରେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ କିଛି ପଇସାର ହ୍ରାସ କରାଯାଉଛି । କିନ୍ତୁ କେଉଁ ଆଧାରରେ ଏଲପିଜି ଦାମ ବଢ଼ୁଛି ତାହା ବୁଝାପଡ଼ୁନି । କେବଳ ଚଳିତ ବର୍ଷ ପେଟ୍ରୋଲ ଦାମରେ ୧୯ଟଙ୍କା ଓ ଡିଜେଲ୍ ଦାମ୍ ୧୬ ଟଙ୍କା ବୃଦ୍ଧି ହୋଇସାରିଲାଣି । ଗତ ଜାନୁଆରିରେ ପେଟ୍ରୋଲ ଦାମ ଲିଟର ପିଛା ୮୩ ଟଙ୍କା ୭୧ ପଇସା ଥିଲା ବେଳେ ଆଜି ଏହାର ଦାମ୍ ୧୦୨ ଟଙ୍କା ୨୮ ପଇସା ରହିଛି । ସେହିପରି ଚଳିତ ବର୍ଷର ପ୍ରଥମ ଦିନରେ ଡିଜେଲ୍ ଦାମ୍ ଥିଲା ୮୦ ଟଙ୍କା ଥିବାତ ବେଳେ ତାହା ବୃଦ୍ଧି ପାଇ ଏବେ ୯୬ ଟଙ୍କା ୮୧ ପଇସାରେ ପହଞ୍ଚିଛି ।
Powered by Froala Editor