୧୯୪୧ ପରେ ଶ୍ରୀଲଙ୍କାରେ ଜନ୍ମ ନେଲେ ଜାଆଁଳା ହାତୀ ଛୁଆ

୧୯୪୧ ପରେ ଶ୍ରୀଲଙ୍କାରେ ପ୍ରଥମ ଥର ଜାଆଁଳା ହାତୀ ଛୁଆ ଜନ୍ମ ନେଇଛନ୍ତି। ଉଭୟ ମା ହାତୀ ଓ ଛୁଆ ସୁସ୍ଥ ଥିବା ପିନାଓ୍ଵାଲା ହାତୀ ଅନାଥାଳୟର ପ୍ରମୁଖ ରେଣୁକା ଭଣ୍ଡାରନାୟକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁରଙ୍ଗୀ ନାମରେ ନାମିତ ଏହି ମାଈ ହାତୀ ସୁସ୍ଥ ଦୁଇ ଅଣ୍ଡିରା ହାତୀ ଛୁଆକୁ ଜନ୍ମ ଦେଇଛି।
ସୁରଙ୍ଗୀ ଏହା ପୂର୍ବରୁ ୨୦୦୯ରେ ଏକ ଅଣ୍ଡିରା ହାତୀ ଛୁଆ ଜନ୍ମ ଦେଇଥିଲା ଏବଂ ଦ୍ଵିତୀୟ ଥର ସେ ମା ହୋଇଛି। ଏହି ହାତୀ ଛୁଆର ବାପା ୧୭ ବର୍ଷୀୟ ପାଣ୍ଡୁ ମଧ୍ୟ ଅନାଥାଳୟରେ ରହୁଛି।
ସରକାରୀ ତଥ୍ୟ ଅନୁଯାୟୀ, ଶ୍ରୀଲଙ୍କାରେ ୨୦୦ ପାଳିତ ଏବଂ ପ୍ରାୟତଃ ୭,୫୦୦ ଜଙ୍ଗଲୀ ହାତୀ ରହିଛନ୍ତି। ଜଙ୍ଗଲୀ ହାତୀ ଧରିବା ଶ୍ରୀଲଙ୍କାରେ ଅପରାଧ ଏବଂ ଏଥିପାଇଁ ମୃତ୍ୟୁ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି। ୮୧ ହାତୀ ରହୁଥିବା ଏହି ଅନାଥାଳୟ ୧୯୭୫ରେ ବେସାହାର ହାତୀଙ୍କ ରକ୍ଷଣାବେକ୍ଷଣ ପାଇଁ ସ୍ଥାପନ ହୋଇଥିଲା। ଏହି ଅନାଥାଳୟ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରଖାଯାଇଛି।
Powered by Froala Editor