ବିଷ ବଳୟରେ ବାୟୁ ମଣ୍ଡଳ, ଏପିକ୍ ଦେଲା ସାଘାଂତିକ ତଥ୍ୟ : ଭାରତର ୪୦ ପ୍ରତିଶତ ଜନତା ଆୟୁଷ କମି ଚାଲିଛି

ପଲ୍ୟୁସନ୍ ବା ବାୟୁ ପ୍ରଦୂଷଣ । ଯାହାକି ଆଜିର ଆଧୁନିକ ଶୈଳୀରେ ବିଷ ଘାଣ୍ଟି ଚାଲିଛି । ବିଶେଷକରି ବଢିଚାଲିଥିବା ବାୟୁ ପ୍ରଦୂଷଣର କୁପ୍ରଭାବ ଲୋକମାନଙ୍କ ଶରୀର ଉପରେ ପଡୁଛି । ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତର ୪୦ ପ୍ରତିଶତ ଜନତାଙ୍କ ହାରାହାରି ଆୟୁଷ ୯ ବର୍ଷ କମିଯିବ ।
ଏପିକର ରିପୋର୍ଟ ଅନୁସାରେ ଉତ୍ତର, ପୂର୍ବ ଓ କେନ୍ଦ୍ରୀୟ ଭାରତର ପ୍ରାୟ ୪୮ କୋଟି ଲୋକ ମାତ୍ରାଧିକ ପ୍ରଦୂଷଣ ମଧ୍ୟରେ ରହୁଛନ୍ତି । ଏସବୁ ସ୍ଥାନ ମଧ୍ୟରେ ରାଜଧାନୀ ଦିଲ୍ଲୀ ବି ରହିଛି । ଆହୁରି ଚିନ୍ତାଜନକ କଥା ହେଉଛି ଦିନକୁ ଦିନ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଓଡ଼ିଶାରେ ବାୟୁ ପ୍ରଦୂଷଣ ଏବେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍କଟ ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ଏକ ନମ୍ବର ଥିବା ବେଳେ ଏବେ ଓଡ଼ିଶା ତାର ପାଖାପାଖି ପହଞ୍ଚି ଯାଇଛି। ମୁଖ୍ୟତଃ ବାୟୁରେ ଅଧିକ ପରିମାଣରେ ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ( ପିଏମ ୨.୫) ର ଉପସ୍ଥିତି ଯୋଗୁଁ ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ଏହି ପରିମାପକରେ ଦିଲ୍ଲୀ ଥିବା ବେଳେ ଏହାର ପାଖାପାଖି ଓଡ଼ିଶା ମଧ୍ୟ ପହଞ୍ଚିଗଲାଣି। ତେବେ ଓଡ଼ିଶାରେ ବାୟୁ ପ୍ରଦୂଷଣମାତ୍ରାକୁ ନେଇ ଯେଉଁ ବିକଳ ଚିତ୍ର ଆସିଛି ସେଥିରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଆଦି ଜିଲ୍ଲା ରହିଛି। ଏସବୁ ଜିଲ୍ଲା ଲୋକଙ୍କର ଆୟୁସ ପାଖାପାଖି ୬ ବର୍ଷ କମିବାର ଆଶଙ୍କା ରହିଛି।
ତେବେ ଏପିକ ପକ୍ଷରୁ ଭାରତ ସରକାରଙ୍କ ଦ୍ବାରା ୨୦୧୯ରେ ଆରମ୍ଭ ହୋଇଥିବା ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ (ଏନସିଏପି)କୁ ପ୍ରସଂଶା କରାଯାଇଛି । ଏନସିଏପିର ଲକ୍ଷ୍ୟ ହାସଲ ହେଲେ ଭାରତୀୟଙ୍କ ହାରାହାରି ଆୟୁଷ ୧.୭ ବର୍ଷ ବଢିବ ।
Powered by Froala Editor