ତୁଳା ଲଗ୍ନରେ ନୂଆଖାଇ : ନବାନ୍ନ ଲାଗି ପାଇଁ ନୀତି ନିର୍ଘଣ୍ଟ
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ‘ନୂଆଖାଇ’ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି।
ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସକାଳ ୧୦:୧୫ ମି. ରୁ ୧୦:୨୫ ମି. ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବ। ସବୁବର୍ଷ ଭଳି ବ୍ରହ୍ମପୁରା ମନ୍ଦିର କମିଟିର ଆହ୍ୱାନକ୍ରମେ ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଥିଲେ। ଲଗ୍ନ ନିର୍ଦ୍ଧାରଣ ପରେ ବିଧିନୁଯାୟୀ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ଓ ସଦସ୍ୟମାନେ ମା' ସମଲେଶ୍ୱରୀ ପୀଠକୁ ଯାଇ ଲଗ୍ନପତ୍ର ମା'ଙ୍କ ଠାରେ ଅର୍ପଣ କରିଥିଲେ।
ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ – ଶ୍ରୀ ବୀର ବିକ୍ରମ ସମ୍ବତ ୨୦୭୮ ଶ୍ରୀ ଶକାଦ୍ଦଃ ୧୯୪୩ ସିଂହ ସଂକ୍ରମଣ ୨୭ ଦିନ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଇଂ. ତା ୧୧ା୯ା୨୦୨୧ ଶନିବାର ଦିବା ଘ:୧୦ା୧୫ମି.ରୁ ଘ:୧୦ା୨୫ମି. ମଧ୍ୟେ ପ୍ରସସ୍ଥ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ଭୋଗକୁ ଶୁଭ।
ସୂଚନାଯୋଗ୍ୟ, ନୂଆଖାଇର ଲଗ୍ନ ନିର୍ଦ୍ଧାରଣ ପାଇଁ ପ୍ରତିବର୍ଷ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଏହି ବୈଠକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନରେ ଅନୁଷ୍ଠିତ ହୋଇଥାଏ।
Powered by Froala Editor