ପଶ୍ଚିମବଙ୍ଗରୁ ବିପୁଳ ପରିମାଣରେ ଆଫଗାନିସ୍ତାନ ମୁଦ୍ରା ଜବତ, ୨ ଗିରଫ
କୋଲକାତା: ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ଚାରିଆଡେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟ ପଶ୍ଚିମବଙ୍ଗରୁ ବିପୁଳ ପରିମାଣରେ ଆଫଗାନିସ୍ତାନ ମୁଦ୍ରା ଜବତ ହୋଇଛି। ଏହି ଘଟଣାରେ କୋଲକାତା ପୁଲିସ ୨ଜଣଙ୍କୁ ଗିରଫ ମଧ୍ୟ କରିଛି।
ସୂଚନା ମୁତାବକ, ଗୁପ୍ତ ସୂଚନା ପାଇଁ କୋଲକାତା ହେୟାର ଷ୍ଟ୍ରିଟ୍ ଥାନା ପୁଲିସ ବିବିଡି ବାଗ ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରେ ଦୁଇ ଜଣକଙ୍କ ନିକଟରୁ ପାଖାପାଖି ୨୫ ଲକ୍ଷ ୮ ହଜାର ଟଙ୍କାର ଆଫଗାନୀ ମୁଦ୍ରା ଜବତ କରିଛି ପୁଲିସ।
ଗିରଫ ସନ୍ଧିଗ୍ଧମାନେ ଆଫଗାନିସ୍ତାନର ନାଗରିକ ବୋଲି ଜଣାପଡିଛି। ଆଫଗାନିସ୍ତାନର ବାସିନ୍ଦାମାନେ ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ କୋଲକାତାର ବିଭିନ୍ନ ସ୍ଥାନରେ କାବୁଲିୱାଲା ଭାବରେ ଜଣାଶୁଣା। ସେମାନେ ଋଣ ଦେବା ବ୍ୟବସାୟ କରନ୍ତି, ଏହି ବ୍ୟବସାୟ ଭାରତୀୟ ଟଙ୍କାରେ କରାଯାଇଥାଏ। ଏଥିପାଇଁ ପୁଲିସ ଏତେ ପରିମାଣର ଟଙ୍କା କୋଲକାତାକୁ କିଭଳି ଆସିଲା ଏବଂ ଗିରଫ ଦୁଇ ସନ୍ଧିଗ୍ଧଙ୍କ ଉଦ୍ଦେଶ୍ୟ କ’ଣ ସେନେଇ ତଦନ୍ତ ଚଳାଇଛି। ଏମାନଙ୍କ ସହ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେ ନେଇ ମଧ୍ୟ ପୁଲିସ ଯାଂଚ ଜାରି ରଖିଛି।
Powered by Froala Editor