ସାଂସଦ ପ୍ରଶାନ୍ତ ନନ୍ଦ ଆଶୀର୍ବାଦ ଭିକ୍ଷା କରୁଥିବା ଭିଡ଼ିଓ ଭାଇରାଲ
ଭୁବନେଶ୍ୱର : ମାନବବାଦୀ ସଂଗଠନର ତାଲିବାନୀ ଆଚରଣ ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ସଂଗଠନର ମୁଖ୍ୟ ମାନସ ଦାସ ଗୁରୁଜୀ ଭାବେ ଜଣାଶୁଣା ଥିଲେ । ଶବର ସମ୍ପ୍ରଦାୟର ଲୋକମାନେ ତାଙ୍କ ସହ ଥିବାରୁ ସେ ଭୋଟ ବ୍ୟାଙ୍କ ଭାବେ ବି କାମ କରୁଥିଲେ । ସେହି ଲୋଭରେ ଅନେକ ରାଜନେତା ତାଙ୍କର ପାଦ ଛୁଇଁବାକୁ ବି ପଛାଉନଥିଲେ ।
ମାନସ ବିଜୁ ଜନତା ଦଳକୁ ସହଯୋଗ କରିଆସୁଥିଲେ । ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ପାଦଛୁଇଁ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଢେ଼ର ପ୍ରଶଂସା ବି କରିଥିଲେ । ସେ ପୃଥିବୀର ଶ୍ରେଷ୍ଠ ଗୁରୁ ବୋଲି ପାଟ୍ଟଶାଣୀ ଏକ ସଭାରେ କହିଥିଲେ । ବିଜେଡ଼ିର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏଭଳି ଗୁରୁଙ୍କ ଶିଷ୍ୟ ହୋଇ ଧନ୍ୟ ବୋଲି ମତବ୍ୟକ୍ତ କରିବାକୁ ପଛାଇନଥିଲେ ।
ମାନସ ବେଶ ପ୍ରଭାବଶାଳୀ ଥିଲେ । ତାଙ୍କର ସୁରକ୍ଷା ପାଇଁ ସର୍ବଦା ୩୦ ଯୁବକ ରହିଥିଲେ । ବେଗୁନିଆର ସତ୍ୟବ୍ରତ ନାୟକ ତାଙ୍କର ପ୍ରମୁଖ ସୁରକ୍ଷା କର୍ମୀ ଥିବାବେଳେ ସେ ଏବେ ଗିରଫ ହୋଇଛନ୍ତି । ମାସିକ ବିଭିନ୍ନ ସୂତ୍ରରୁ ସେ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରୁଥିବାବେଳେ ସଂଗଠନର ସଶସ୍ତ୍ର ବାହିନୀର ସଦସ୍ୟଙ୍କୁ ୩ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯାଉଥିଲା ।
Powered by Froala Editor