ହିନ୍ଦୁ ନାଁରେ ଦୋକାନ କରିଥିଲେ ବୋଲି ମୁସଲିମ ଯୁବକଙ୍କୁୁ ମାଡ
ଜଣେ ମୁସଲମାନ ଯୁବକ ହିନ୍ଦୁ ନାଁରେ ଦୋକାନ କରିଥିବାରୁ ତାଙ୍କୁ ମାଡ ଖାଇଛନ୍ତି । ମଥୁରା ବିକାଶ ମାର୍କେଟରେ ଶ୍ରୀନାଥ ଦୋସା କର୍ନର ନାଁରେ ବ୍ୟାନର ଲଗାଇ ମୁସଲମାନ ଯୁବକ ଇରଫାନ ଦୋସା ଆଦି ବିକ୍ରି କରନ୍ତି। କିଛି ଦିନ ପୂର୍ବରୁ ଏ ସମ୍ବନ୍ଧରେ ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଅଗଷ୍ଟ ୧୮ ତାରିଖ ଦିନ କିଛି ଯୁବକ ତାଙ୍କ ଦୋକାନକୁ ଯାଇ ବିରୋଧ କରିଥିଲେ ଯେ ସେ ମୁସଲମାନ ହୋଇ ଶ୍ରୀନାଥଜୀଙ୍କ ନାଁରେ ବ୍ୟାନର ଲଗାଇ ଦୋସା କାହିଁକି ବିକ୍ରି କରୁଛନ୍ତି। ଯୁବକମାନେ ତାଙ୍କୁ କହିଥିଲେ ଯେ ଶ୍ରୀନାଥଜୀଙ୍କ ନାଁ ହଟାଇ ସେ ଆଲ୍ଲା, ମହମ୍ମଦ ସାହେବ ଲେଖି ଦୋସା ବିକ୍ରି କରନ୍ତୁ। ଶ୍ରୀନାଥଜୀଙ୍କା ନାଁ ହଟାଇବାକୁ ସେମାନେ ଦୋକାନୀ ଉପରେ ଚାପ ପକାଇଥିଲେ ଓ ତାଙ୍କୁ ମାରପିଟ କରିଥିଲେ। ଯୁବକ ଏନେଇ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
ସୂଚନା ପରେ ଥାନା ପ୍ରଭାରୀ ସୁରଜ ପ୍ରକାଶ ଶର୍ମା ଘଟଣାର ତଦନ୍ତ କରିବାକୁ ଦୋସା ଦୋକାନୀଙ୍କୁ ପଚରାଉଚୁରା କରିଥିଲେ। ସେ କହିଥିଲେ ଯେ କିଛି ଅଜଣା ଯୁବକ ଥିଲେ ଏବଂ ତାଙ୍କୁ ସେ ଜାଣିନାହାନ୍ତି। ଶନିବାର ଦିନ ଦୋକାନୀ ଇରଫାନଙ୍କ ଅଭିଯୋଗ କ୍ରମେ ଅଜଣା ଯୁବକଙ୍କ ବିରୋଧରେ ଗାଳିଗୁଲଜ ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ମାମଲା ରୁଜ୍ଜୁ କରାଯାଇଛି।
Powered by Froala Editor