ବୋମା ପରେ ରକେଟ ମାଡରେ ଥରିଲା କାବୁଲ
ଆଫଗାନିସ୍ତାନର ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ଆଉ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ରକେଟ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି। ବିମାନ ବନ୍ଦର ନିକଟରେ ଥିବା ଗୁଲାଇ ଅଞ୍ଚଳରେ ଥିବା ଏକ ଘର ଉପରେ ଏହି ରକେଟ୍ ମାଡ଼ ହୋଇଛି। ରକେଟ୍ ମାଡ଼ କିଏ କରିଛି ସେ ନେଇ ସ୍ପଷ୍ଟ ହୋଇନି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। କୁହାଯାଉଛି ଯେ, ଟାର୍ଗେଟ କରି ଘର ଉପରେ ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଫଟୋରେ ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂସ୍ଥା ଏହି ଘଟଣା ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ଏୟାରପୋର୍ଟ ବାହାରେ ବୋମା ବିସ୍ଫୋଣର ହୋଇଥିଲା। ଏଥିରେ ୧୩ ଜଣ ଆମେରିକା ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୯ ଆଫଗାନିସ୍ତାନ ନାଗରିକଙ୍କ ଜୀବନ ଯାଇଥିଲା।
କିଛି ସମୟ ପୂର୍ବରୁ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଥିଲେ ଜୋ ବାଇଡେନ୍ । ସେ କହିଥିଲେ, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍ମାନେ ମୋତେ ସୂଚନା ଦେଇଛନ୍ତି। ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି।
Powered by Froala Editor