ସାତ ବର୍ଷର ଯାତ୍ରା ପୂରଣ କରିଛି ଜନ ଧନ ଯୋଜନା, ଖାତାରେ ଅଛି ଦେଢ଼ ଲକ୍ଷ କୋଟି
ନୂଆଦିଲ୍ଲୀ: ଘରେ ଘରେ ବ୍ୟା୍କ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଜନ ଧନ ଯୋଜନା ସାତ ବର୍ଷର ଯାତ୍ରା ପୂରଣ କରିଛି । ୨୦୧୪ ଅଗଷ୍ଟ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୨୧ ଅଗଷ୍ଟ ୨୧ ସୁଦ୍ଧା ଏହି ଯୋଜନା ଅଧିନରେ ୪୩.୦୪ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି । ସେଥିମଧ୍ୟରୁ ୫୫.୪୭% ଖାତା ମହିଳାଙ୍କ ନାମରେ ଖୋଲାଯାଇଥିବା ବେଳେ ୬୬.୬୯% ଖାତା ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ଖୋଲାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷରେ ୧୭.୯୦ କୋଟି ଖାତା ଖୋଲାଯାଇଥିଲା । ସେହିଦିନଠାରୁ ନିରନ୍ତର ଭାବେ ଜନଧନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ୩୬.୮୫ କୋଟି ଜନ ଧନ ଖାତା ସକ୍ରିୟ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଯଦି କୌଣସି ଖାତାରେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି କାରବାର ହୁଏ ନାହିଁ ତାହାକୁ ଅଚଳ ବର୍ଗରେ ସାମିଲ କରାଯାଏ । ମାତ୍ର ୮.୨% ଜନ ଖାତାରେ ଜିରୋ ବାଲାନ୍ସ ରହିଛି । ଜନ ଧନ ଖାତା ଗୁଡ଼ିକରେ ୧,୪୬,୨୩୦ କୋଟି ଟଙ୍କା ଜମାର ରାଶି ରହିଛି । ପ୍ରତି ଖାତାରେ ହାରାହାରି ଭାବେ ୩୩୯୮ ଟଙ୍କା ରଖାଯାଇଛି । ଜନ ଧନ ଖାତା ଖୋଲିଥିବା ଗ୍ରାହକଙ୍କୁ ୩୧.୨୩ କୋଟି ରୂପେ ଡେବିଟ କାର୍ଡ ଦିଆଯାଇଛି । ଜନ ଧନ ଯୋଜନା ଅସଂଖ୍ୟ ଭାରତୀୟଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇଥିବା ବେଳେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇ ସଶକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
Powered by Froala Editor