ଆତଙ୍କବାଦୀଙ୍କ ଶିବିରକୁ ଛାରଖାର କରିଦେଲ। ଆମେରିକା

ନୂଆଦିଲ୍ଲୀ : କାବୁଲ ବିସ୍ଫୋରଣ ଘଟଣାରେ ଆମେରିକା ପ୍ରଥମ ପ୍ରତିଶୋଧ ନେଇଛି । କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଆଇଏସ-କେ (ଖୁରାସନ) ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆମେରିକା ପୂର୍ବ ଆଫଗାନିସ୍ତାନରେ ଡ୍ରୋନ ଆକ୍ରମଣ କରିଛି । ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ କାବୁଲର ନଙ୍ଗରହାରରେ ହୋଇଥିବା ଡ୍ରୋନ ଆକ୍ରମଣ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଏକ ଶିବିରକୁ ଛାରଖାର କରିଦେଇଛି । ଏହି କାର୍ଯ୍ୟାନୁଷ୍ଠାନରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିପାତ ହୋଇଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ କହିଛି । ଆଗକୁ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଆଇଏସର ଏହି ସଂଚାଳକ ବିମାନ ଆକ୍ରମଣରେ ନିହତ ହୋଇଥିବା ନିଶ୍ଚିତ ବୋଲି ଆଫଗାନ-ଆମେରିକା କମାଣ୍ଡ ସେଣ୍ଟର ପକ୍ଷରୁ କୁହାଯାଇଛି । ପେଣ୍ଟାଗନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଯେଉଁ ଟାର୍ଗେଟକୁ ଆମେ ନଷ୍ଟ କରିବାକୁ ଯୋଜନା କରିଥିଲୁ ତାହା ଶତ ପ୍ରତିଶତ ସଫଳ ହୋଇଛି । ଆକ୍ରମଣରେ କୌଣସି ସାଧାରଣ ଲୋକଙ୍କ ମୃତୁ୍ୟ ହୋଇ ନାହିଁ ବୋଲି କୁହାଯାଇଛି । ଆଫଗାନିସ୍ତାନରେ ଥିବା ଆମେରିକୀୟ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ବିମାନବନ୍ଦରର ୩ଟି ଗେଟ ତୁରନ୍ତ ଛାଡ଼ିଦେବାପାଇଁ ଆାମରିକା ଏହାର ନାଗରିକଙ୍କୁ ସତର୍କ କରିଛି ଏବଂ କୌଣସି ସ୍ଥାନରେ ଭିଡ଼ ନକରିବାକୁ କହିଛି ।
Powered by Froala Editor