ମାନବିକତା ଭୁଲିଗଲେ : ଚୋରି ଅଭିଯୋଗରେ ବିଚ୍ ରାସ୍ତାରେ ଘୋଷାଡି ମାରିଦେଲେ

ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ବ୍ୟକ୍ତି ହିଂସାରେ ଶିକାର ହୋଇ ଜୀବନ ହରାଇଛନ୍ତି। ମୃତକଙ୍କ ନାମ କହ୍ନେୟା ଭିଲ। ସେ ବାନାଦା ଗ୍ରାମର ବାସିନ୍ଦା। ଚୋରି ସନ୍ଦେହରେ ଲୋକମାନେ କହ୍ନେୟାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଟ୍ରକ୍ ପଛରେ ବାନ୍ଧି ଘୋଷାରି ଘୋଷାରି ହତ୍ୟା କରିଥିବା ଜଣାପଡ଼ିଛି। ଭିଡ଼ ହିଂସାରେ ମୃତ୍ୟୁବରଣ କରିବା ପୂର୍ବରୁ ବ୍ୟକ୍ତି ନିଜେ ପୋଲିସ ସହଯୋଗ ନମ୍ବରରେ କଲ୍ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ନିମୁଚ ଜିଲାରୁ।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଲୋକମାନେ ରୁଣ୍ଡ ହୋଇ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି। ବ୍ୟକ୍ତିଜଣଙ୍କ ବାରମ୍ବାର ଜୀବନ ଭିକ୍ଷା କରୁଥିଲେ ହେଁ କେହି କିଛି ଶୁଣିବାକୁ ନାରାଜ। ପୀଡ଼ିତଙ୍କୁ ମାଡ଼ ମାରିବା ପରେ ମନ ଶାନ୍ତି ହେଲାନି ଯେ, ତାଙ୍କୁ ଏକ ପିକଅପ୍ ଟ୍ରକ୍ରେ ବାନ୍ଧି ବିଚ୍ ରାସ୍ତାରେ ଘୋଷାରି ଥିଲେ। ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି। ଭାଇରାଲ ଭିଡିଓ ମାଧ୍ୟମରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଏସ୍ସି ଓ ଏସ୍ଟି ଆଇନ ଏବଂ ଆଇପିସିର ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରାଯାଇଛି।
Powered by Froala Editor