ବେଦୀରେ ଧୋକା: ୪୫ ବର୍ଷୀୟ କନ୍ୟାକୁ ଦେଖି ଥାନା ଦୌଡିଲା ବର

କନ୍ୟାକୁ ବେଦୀରେ ଦେଖି ଥାନାକୁ ଦୌଡିଛି ବର । ଏଭଳି ଅଜବ କାଣ୍ଡ ଘଟିଛି ଉତ୍ତରପ୍ରଦେଶରେ । ବର ଜଣକ ଅଭିଯୋଗ କରିଛନ୍ତି ଯେ, ୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ତାଙ୍କୁ ଜଣେ ୪୫ ବର୍ଷୀୟ ମହିଳାଙ୍କ ସହ ବିବାହ କରାଯାଉଥିଲା । ଏହା ଦେଖିବା ପରେ ସେ ଦେବୀରୁ ଉଠିଯାଇଥିଲେ ।
ଉତ୍ତରପ୍ରଦେଶର ଇଟାୱାର ସିଭିଲ ଲାଇନ ଥାନାରେ ଏନେଇ ଜଣେ ବର ଅଭିଯୋଗ କରିଛନ୍ତି । ବର ଶତ୍ରୁଘ୍ନ ସିଂହଙ୍କ କହିବା ମୁତାବକ, ତାଙ୍କୁ ପ୍ରତାରଣା କରାଯାଇଛି। ବିବାହ ପାଇଁ ଜଣେ ୨୦ ବର୍ଷୀୟ ଝିଅର ଫଟୋ କନ୍ୟା ଘର ପକ୍ଷରୁ ଦେଖାଯାଇଥିଲା । ଫଟୋ ଦେଖି ଶତ୍ରୁଘ୍ନ ବିବାହ ପାଇଁ ରାଜି ହୋଇଥିଲେ । ତେବେ କେବଳ ଫଟୋ ନୁହେଁ ବରଂ ଅଗଷ୍ଟ ୧୯ ତାରିଖରେ ସେହି ୨୦ ବର୍ଷୀୟ ଝିଅ ଓ ଶତ୍ରୁଘ୍ନ ପରସ୍ପରକୁ ଏକ ମନ୍ଦିରରେ ଭେଟିଥିଲେ ।
ଆଉ ସେ କନ୍ୟାଙ୍କୁ ପ୍ରଥମ ଥର ଦେଖିଥିବାରୁ ୧୫ ହଜାର ଟଙ୍କା ଉପହାର ଭାବେ ଦେଇଥିଲେ । ପରେ ବିବାହ ପାଇଁ ଲଗ୍ନ ସ୍ଥିର କରାଯାଇଥିଲା । ତେବେ ଗତକାଲି(ଶୁକ୍ରବାର) ଦିନ ବିବାହ ସ୍ଥିର ହୋଇଥିଲା । ଶୁକ୍ରବାର ଦିନ ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା କାଳୀ ମାତା ମନ୍ଦିରରେ ଏହି ବିବାହ ହେବାର ଥିଲା। ସନ୍ଧ୍ୟାରେ ଶତ୍ରୁଘ୍ନ ନିଜ ପରିବାର ସହିତ ମନ୍ଦିରରେ ପହଞ୍ଚିଥିଲେ । ଆଉ ଯେତେବେଳେ ବିବାହ ଆରମ୍ଭ ହୋଇଥିଲା ସେତେବେଳେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ କନ୍ୟା ବେଶରେ ସଜେଇ ଅଣାଯାଇଥିଲା । ବ୍ରାହ୍ହଣଙ୍କ ମନ୍ତ୍ର ଉଚ୍ଚାରଣ ସହ ବିବାହ କାର୍ଯ୍ୟ ଚାଲିଥିଲା। କିନ୍ତୁ ଯୁବକଙ୍କୁ କାହିଁକି କେଜାଣି ସନ୍ଦେହ ହେଲା ସେ କନିଆଁର ଓଢ଼ଣୀ ଟେକି ଦେଇ ତାଙ୍କ ମୁହଁକୁ ଦେଖିଥିଲେ। ତାପରେ ଯାହା ହେଲା ଭାବିବା ବି ମୁସକିଲ । କାରଣ କନିଆଁ ୨୦ ବର୍ଷୀୟା ଯୁବତୀ ନଥିଲେ ବରଂ ତାଙ୍କ ସ୍ଥାନରେ ଥିଲେ ଦୁଇ ପିଲାର ମା ତଥା ୪୫ ବର୍ଷୀୟା ମହିଳା। ତାପରେ ବର କିଛି ନଭାବି ସିଧା ବେଦୀରୁ ଉଠିପଡ଼ିଥିଲେ।
ଏହା ପରେ କନିଆଁ ପକ୍ଷ ବିବାହ ଖର୍ଚ୍ଚ ବାବଦକୁ ବର ପକ୍ଷଙ୍କଠୁ ୩୫ ହଜାର ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି। ବିବାହ ଭାଙ୍ଗିବା ପରେ ବର ପକ୍ଷ ମହିଳାଙ୍କ ପରିବାରକୁ ଟଙ୍କା ଫେରସ୍ତ ମାଗିବାରୁ ସେମାନେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି ବୋଲି ବର ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor