ଡ୍ରୋନ୍ ନିୟମ ୨୦୨୧ ଜାରି , ଏଥର ଆକାଶରେ ଉଡିବ ଡ୍ରୋନ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡ୍ରୋନ୍ ନିୟମ ୨୦୨୧ ଜାରି କରାଯାଇଛି । ଏଥିରେ ଅନେକ ବ୍ୟବସ୍ଥାର ସରଳୀକରଣ କରାଯାଇଛି । ପୂର୍ବରୁ ଡ୍ରୋନ୍ ଉଡ଼ାଣ ଅନୁମତି ହାସଲ କରିବା ଲାଗି ୨୫ଟି ଫର୍ମ ଓ ୭୧ ପ୍ରକାର ଫି’ ଦାଖଲ କରିବାକୁ ପଡ଼ୁଥିଲା । ଏବେ ଫର୍ମ ସଂଖ୍ୟା ୫କୁ ଓ ଫି ସଂଖ୍ୟା ୪କୁ ହ୍ରାସ କରାଯାଇଛି । କେତେକ ଫି ରେ ବଡ଼ ଧରଣର ହ୍ରାସ ଘଟିଛି । ରିମୋଟ ପାଇଲଟ ଲାଇସେନ୍ସ ଫି’ ୩୦୦୦ ଟଙ୍କାରୁ ୧୦୦ ଟଙ୍କାକୁ ହ୍ରାସ କରାଯାଇଛି । ଡ୍ରୋନର ଓଜନ ୩୦୦ କେଜିରୁ ୫୦୦ କେଜିକୁ ବୃଦ୍ଧି କରାଯାଇଛି ଫଳରେ ଦେଶରେ ଡ୍ରୋନ୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି । ନୂଆ ଡ୍ରୋନ୍ ନିୟମ ଦେଶରେ ନବସୃଜନ ଓ ବ୍ୟବସାୟର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ନିୟମକୁ ସେ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏଥିରେ ମଞ୍ଜୁରି ଓ ପ୍ରବେଶ ପ୍ରତିବନ୍ଧକ ଆଦିକୁ ଅନେକାଂଶରେ ହ୍ରାସ କରାଯାଇଛି । ଏହି ନିୟମ ଦେଶର ଷ୍ଟାର୍ଟଅପ ଓ ଯୁବପିଢ଼ଙ୍କୁ ଏହି କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ନିୟମ ଅନୁଯାୟୀ, ଦେଶରେ ଏକ ଇଣ୍ଟରଆକ୍ଟିଭ୍ ମହାକାଶ ମାନଚିତ୍ର ପ୍ରସ୍ତୁତ କରାଯିବ । ତାହାକୁ ସବୁଜ, ହଳଦିଆ ଓ ଲାଲ ଭଳି ବର୍ଗରେ ଭାଗ କରାଯିବ । ଗ୍ରିନ ଜୋନରେ ଡ୍ରୋନ ଉଡ଼ାଣ ଲାଗି ଅନୁମତି ନେବାକୁ ପଡ଼ିବନି । ଏହାର ଅର୍ଥ ହେଉଛି ୪୦୦ ‘ୁଟ କିମ୍ବା ୧୦୦ ମିଟର ଭିତରେ ଡ୍ରୋନ୍ ଉଡ଼ାଇ ହେବ କିମ୍ବା ତାହା ଲାଲ୍ କିମ୍ବା ହଳଦିଆ ଜୋନ ହୋଇନଥିବ । ହଳଦିଆ ଜୋନକୁ ବିମାନ ବନ୍ଦର ପରିଧିର ୪୫ କିମିରୁ ହ୍ରାସ କରି ୧୨ କିମି କରାଯାଇଛି । ଅଣ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଅଣୁ ଡ୍ରୋନ୍ ଓ ନାନୋ ଡ୍ରୋନ୍ ଉଡ଼ାଣ ଲାଗି ଲାଇସେନ୍ସ ନେବାକୁ ପଡ଼ିବନି । ଭାରତୀୟ ଡ୍ରୋନ କଂପାନିରେ ବିଦେଶୀ ମାଲିକାନା ଉପରେ କୌଣସି ଅଙ୍କୁଶ ରହିବ ନାହିଁ ।
Powered by Froala Editor