ଟଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ : ୧୨ ସେଲିବ୍ରିଟିଙ୍କୁ ଇଡି ସମନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପରେ ବଲିଉଡରେ ଡ୍ରଗ୍ସ କାରବାର କଥା ସାମନାକୁ ଆସିଥିଲା । ସେତେବେଳେ ବଲିଉଡର ବଡ ବଡ ସେଲିବ୍ରିଟି ଏହି ଫାସରେ ପଡିଥିଲେ । ତେବେ ଡ୍ରଗ୍ସ କାରବାରର ଚେର ଟଲିଉଡ ଇଣ୍ଡଷ୍ଟ୍ରୀରେ ଥିବା ଜଣାପଡିଛି । ଡ୍ରଗ୍ସ କାରବାର ଓ ବ୍ୟବହାର ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୨ ଜଣ ଟଲିଉଡ ସେଲିବ୍ରିଟିଙ୍କୁ ସିମନ ଜାରି କରିଛି । ଆସନ୍ତା ୩୧ରେ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ହାଜର ହେବାକୁ କୁହାଯାଇଛି । ଏହା ସହିତ ଟଲିଉଡ ଅଭିନେତ୍ରୀ ରାକୁଲ ପ୍ରିତ୍ ସିଂହ, ଅଭିନେତା ରବି ତେଜା, ଚାରମଇ କୌର, ନଭଦୀପ, ମୁମୈଥ ଖାନ, ତାନିସ, ନନ୍ଦୁ, ତରୁଣ ଏବଂ ବାହୁବଳୀ ଅଭିନେତା ରାଣା ଦାଗୁବତୀଙ୍କୁ ମଧ୍ୟ ସମନ କରାଯାଇଛି। ରବି ତେଜାଙ୍କ ଡ୍ରାଇଭର ଶ୍ରୀନିବାସ ଏବଂ ଏଫ କ୍ଲବର ସାଧାରଣ ପରିଚାଳକ(ଜିଏମ) ଭାବେ କାର୍ଯ୍ୟ କରିଥିବା ଜଣେ ଅଜ୍ଞାତ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେପ୍ଟେମ୍ବର ୨ରୁ ୨୨ ମଧ୍ୟରେ ହାଜର ହେବା ପାଇଁ ସେମାନଙ୍କୁ ସମନ କୁହାଯାଇଛି। ରାକୁଲ ପ୍ରୀତିଙ୍କୁ ସେପ୍ଟେମ୍ବର ୬ରେ, ରାଣା ଦାଗୁବତିଙ୍କୁ ୮ରେ, ରବି ତେଜାଙ୍କୁ ୯ରେ ଏବଂ ମୁମୈଥ ଖାନଙ୍କୁ ନଭେମ୍ବର ୧୫ରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଅବକାରୀ ବିଭାଗର ଅଧିକାରୀଙ୍କ ମଧ୍ୟ ଇଡି ସମନ କରିଛି।
ଡ୍ରଗ୍ସ ରାକେଟ ମାମଲାରେ ଗତ ଜୁଲାଇ ୨୦୧୭ରେ ହାଇଦ୍ରାବାଦ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି ୧୨ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା । ଏହି ମାମଲାରେ ଏସଆଇଟି ୬୨ ଜଣ ସନ୍ଦିଗ୍ଧଙ୍କ କେଶ ଓ ନଖ ନମୁନା ସଂଗ୍ରହ କରିଥିଲା । କିନ୍ତୁ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ପ୍ରମାଣ ଅଭାବ ଯୋଗୁଁ ଅଭିନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ପରୋକ୍ଷରେ ସେମାନଙ୍କୁ କ୍ଲିନଚିଟ୍ ଦିଆଯାଇଛି ବୋଲି ଧରାଯାଇଥିଲା।
ସେତେବେଳେ ୯ ଜଣ ଲୋକଙ୍କ ବିରୋଧରେ ଦଫା ଧାର୍ଯ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟକାଟିଆ ନିଶା ବ୍ୟବସାୟୀ ଥିଲେ। ଏହି ମାମଲାରେ ଅବକାରୀ ଅଧିକାରୀଙ୍କୁ ସାକ୍ଷୀ ଭାବେ ଡକାଯାଇଛି। ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଟଲିଉଡ ସେଲିବ୍ରିଟିଙ୍କୁ ସାକ୍ଷୀ ଭାବେ ଧରାଯିବ। ତଦନ୍ତରୁ ସେମାନଙ୍କ ନାମ ସାମ୍ନାକୁ ଆସିଛି। ତେବେ ଏ ପର୍ଯ୍ୟନ୍ତ ତାହାର କୌଣସି ତଥ୍ୟ ପ୍ରକାଶ ପାଇନାହିଁ।
ଅନେକ ମାମଲାରେ ତଳ ସ୍ତରର ଆଫ୍ରିକୀୟ ନିଶା ବ୍ୟବସାୟୀଙ୍କ ନାମ ରହିଛି। ଅଭିଯୁକ୍ତଙ୍କୁ ଏସଆଇଟି ପଚରାଉଚୁରା କରିବା ସମୟରେ ଏଥିରେ କୌଣସି ଭୂମିକା ନାହିଁ ବୋଲି ଅଭିନେତାମାନେ କହିଥିଲେ।
Powered by Froala Editor