ପ୍ରେରଣା : କେସିବିରେ ୧ କୋଟି ଜିତିଥିଲେ, ଆଜି ଆଇପିଏସ୍ ଅଫିସର

ଦଶମ ପଢିବା ବେଳେ ଲୋକପ୍ରିୟ କୁଇଜ ସୋ କୌନ ବନେଗା କରୋଡ ପତି(କେବିସି)ରେ ୧ କୋଟି ଜିତିଥିଲେ ରବି ମୋହନ ସୈନୀ । ଆଜି ସେ ୟୁପିଏସ୍ ସିଭିଲ ସର୍ଭିସ୍ ପରୀକ୍ଷା ପାସ୍ କରି ଗୁଜୁରାଟ ପୋରବନ୍ଦରରେ ପୁଲିସ ଅଧୀକ୍ଷକ ଭାବେ କାମ କରୁଛନ୍ତି । ତାଙ୍କ ବୁଦ୍ଧିମତାଙ୍କୁ ସବୁଠି ପ୍ରଶଂସା କରାଯାଉଛି ।
ରବିି ରାଜସ୍ଥାନର ଅଲୱରର ବାସିନ୍ଦା । ତାଙ୍କ ବାପା ନୌସେନାର ଜଣେ ଅବସରପ୍ରାପ୍ତ ପୁଲିସ ଅଫିସର । ୨୦୦୧ରେ ସେ ୧୪ ବର୍ଷ ବୟସର ହୋଇଥିବାବେଳେ କେବିସି ଜୁନିୟରରେ ଭାଗ ନେଇଥିଲେ । ଆଉ ଅମିତାଭଙ୍କ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଜିତିଥିଲେ ୧ କୋଟି ଟଙ୍କା । ତାଙ୍କ ସଫଳତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ।
ରବିଙ୍କ କହିବାନୁଯାୟୀ, ତାଙ୍କ ବାପାଙ୍କ ବଦଳି କାରଣରୁ ତାଙ୍କ ସ୍କୁଲ ପାଠପଢା ବିଶାଖାପଟନମ୍ରେ ହୋଇଥିଲା । ଏକାଡେମିକ କ୍ୟାରିୟରରେ ସେ ଟପ୍ପର ହୋଇଥିଲେ । ଦ୍ୱାଦଶ ଶ୍ରେଣୀ ପରେ ରବି ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜରୁ ଏମବିବିଏସ୍ କରିଥିଲେ। ଏହା ପରେ, ଇଣ୍ଟର୍ନସିପ୍ ସମୟରେ ସେ ସିଭିଲ୍ ସର୍ଭିସରେ ମନୋନୀତ ହୋଇଥିଲେ ।
ରବି ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ପିତା ନୌସେନାରେ ଥିଲେ ଏବଂ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଆଇପିଏସ୍ ବାଛିଥିଲେ। ୨୦୧୨ରେ ପ୍ରଥମ ଥର ପାଇଁ ୟୁପିଏସି ପରୀକ୍ଷାରେ ସାମିଲ୍ ହୋଇଥିଲେ । ଆଉ ପ୍ରଥମ ପରୀକ୍ଷାରେ ହିଁ ପାସ୍ କରିବାରେ ସଫଳ ହୋଇଥିଲେ । ହେଲେ ମୁଖ୍ୟ ପରୀକ୍ଷାରେ ପାସ୍ ହୋଇପାରିନଥିଲେ । ଏହାପରେ ହାର୍ ନମାନି ୨୦୧୩ରେ ପୁଣି ପରୀକ୍ଷା ଦେଲେ ଓ ଦୁରସଞ୍ଚାର ବିଭାଗ ଆକାଉଣ୍ଟସ୍ ଏବଂ ଫାଇନାନ୍ସ ସେବା ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ, ସେ ତୃତୀୟ ଥର ପାଇଁ ୟୁପିଏସି ପରୀକ୍ଷା ଦେଇଥିଲେ ଏବଂ ଅଲ ଇଣ୍ଡିଆରେ ୪୬୧ ତମ ର୍ୟାଙ୍କ ହାସଲ କରି ଆଇପିଏସ୍ ଅଧିକାରୀ ହୋଇଥିଲେ ।
Powered by Froala Editor