ନିର୍ଯାତନାଠୁ ବଳିଗଲାଣି ଭୋକର ଦାଉ : ପାଣି ବୋତଲ ୩୦୦୦, ଭାତ ପ୍ଲେଟର ଦାମ୍ ୭୫୦୦
ଆଫଗାନିସ୍ତାନକୁ ତାଲିବାନ କବ୍ଜାକୁ ନେବା ପରେ ସେଠାକାର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦେଶ ଛାଡିବାକୁ ଲୋକେ ପ୍ର୍ରାଣପଣେ ଚେଷ୍ଟା ଚଳାଇଛନ୍ତି । କିଛି ଦିନ ପୂର୍ବରୁ ନିଜ କଅଁଳ ଶିଶୁଙ୍କୁ ମଧ୍ୟ ବାପା ମା ସେନା ହାତରେ ଟେକି ଦେଉଥିବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏବେ ଲୋକେ ଖାଦ୍ୟ ପାଇଁ ହାହାକାର କଲେଣି ।
ଏକ ରିପୋର୍ଟ ଅନୁଯାୟୀ ସେଠାରେ ଏବେ ପାଣି ଗୋଟିଏ ବୋତଲର ଦାମ୍ ୧୦ ଡଲାର ବା ୩୦୦୦ ଟଙ୍କାରେ ମିଳୁଥିବା ବେଳେ ଗୋଟିଏ ପ୍ଲେଟ ଭାତର ଦାମ୍ ୧୦୦ ଡଲାର ବା ପାଖାପାଖି ୭୫୦୦ ଟଙ୍କା ହୋଇଛି । ଯାହା ଫଳରେ ଲୋକେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ସେଠାରେ କାବୁଲର କରେନ୍ସି ଗ୍ରହଣ କରାଯାଉ ନାହିଁ କେବଳ ଡଲାର ମାଧ୍ୟମରେ ଜିନିଷ କିଣିବା ସମ୍ଭବ ହେଉଛି । ତେଣୁ ଏହା ଆଫଗାନିସ୍ତାନ ବାସିନ୍ଦାଙ୍କୁ ଅଡୁଆରେ ପକାଇଛି ।
ଭୋକର ଅଧିକ ଶିକାର ହେଉଛନ୍ତି ଛୋଟ ପିଲା । ଏମିତିକି ଏମାନେ ବେହୋସ ହୋଇ ଯାଉଥିବା କୁହାଯାଉଛି । କାବୁଲ ବିମାନ ବନ୍ଦର ବାହାରେ ପାଖାପାଖି ୫୦ ହଜାରରୁ ଅଧିକ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା କାଠିକାର ପାଠ ହାଇଯାଇଛି । ଗୋଟିଏ ପଟେ ବିମାନ ବନ୍ଦର ପାଚିରି ଭିତରେ ଭୋକ ଓ ଭୟରେ ସଢୁଛନ୍ତି ଲୋକେ ଅନ୍ୟପଟେ ପାଚେରି ବାହାରେ ଉତ୍ସବ ମନାଉଛି ତାଲିବାନ ।
Powered by Froala Editor