ମା’ କୋଳରୁ ଛଡ଼ାଇ ନେଇ ମାସକର ଶିଶୁକୁ ବିକିଦେଲା

ପିଲା ବିକ୍ରି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ୨୨ ତାରିଖ ଦିନ ଝାରପୋଖରିଆ ଥାନା ଦାନାଦର ଗ୍ରାମର ପ୍ରଦୀପ ଦିଗାରଙ୍କ ପତ୍ନୀ ମାଳତୀ ଦିଗାରଙ୍କ ଏକ ମାସର ଶିଶୁ ପୁତ୍ରଙ୍କୁ ସାରସକଣାର ତପନ ଦଣ୍ଡପାଟ ନାମକ ଜଣେ ବ୍ୟକ୍ତି ଜୋରକରି ଛଡାଇ ନେଇଥିଲେ। ଏହାପରେ ଶିଶୁ ପୁତ୍ରଟିକୁ ସାରସକଣା ଅଞ୍ଚଳର ପ୍ରହ୍ଲାଦ ପ୍ରତିହାରୀ ଓ ତାଙ୍କ ପତ୍ନୀ ଲିଜା ପ୍ରତିହାରୀଙ୍କୁ କିଛି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରିଥିଲେ ମାଳତୀ। ଏନେଇ ଝାରପୋଖରିଆ ଥାନାରେ କେଶ ନଂ ୧୮୩/୨୦୨୧ରେ ମାମଲା ରୁଜୁ ହୋଇଥିଲା।
ତେବେ ବିକିଥିବା ଦଲାଲକୁ ସାରସକଣା ଥାନା ଅଞ୍ଚଳରୁ ଗିରଫ କରିଥିବାବେଳେ ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତି ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ଗିରଫ ହେବାପରେ ବିକ୍ରି ଶିଶୁ ପୁତ୍ରକୁ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଶିଶୁ ପୁତ୍ରଙ୍କୁ ବିକ୍ରି କରାଯାଇଥିଲା ତାର କାରଣ ଜଣାପଡ଼ିନାହିଁ । ତଦନ୍ତ ଜାରୀ ରହିଛି ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପ୍ରକାଶ କରିଛନ୍ତି ।
Powered by Froala Editor