ଶ୍ରୀଲିଙ୍ଗରାଜଙ୍କ ପାଲିଙ୍କି, ବିମାନ ନିର୍ମାଣ ଦାୟିତ୍ୱ ନେବ ସୋଆ

ଶ୍ରୀଲିଙ୍ଗରାଜଙ୍କ ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଏସବୁର ନିର୍ମାଣ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟକୁ ମିଳିଛି । ପାଲିଙ୍କି ଓ ବିମାନର ସମସ୍ତ ଖର୍ଚ୍ଚ ସୋଆ କର୍ତ୍ତୃପକ୍ଷ ବହନ କରିବେ । ଏ ନେଇ ସୋଆ ପକ୍ଷରୁ ପୂର୍ବରୁ ଟ୍ରଷ୍ଟ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହି ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି । ସୂଚନା ଯୋଗ୍ୟ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୧୨ ମାସରେ ହେଉଥିବା ୧୪ ଯାତ୍ରାରେ କେବଳ ଅଶୋକାଷ୍ଟମୀ ରଥଯାତ୍ରାକୁ ବାଦ ଦେଲେ, ଅନ୍ୟ ସମସ୍ତ ଯାତ୍ରାରେ ଶ୍ରୀଜିଉମାନେ ବିମାନ ଓ ପାଲିଙ୍କିରେ ଯାତ୍ରା କରିଥାନ୍ତି । ଏତଦବ୍ୟତୀତ ମହାଶିବରାତ୍ରି ଦିନ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ଭୁବନେଶ୍ୱରୀ ପାଲିଙ୍କିରେ ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି । ହେଲେ ବହୁ ପୁରୁଣା ହୋଇଯାଇଥିବାରୁ ଏସବୁ ଭାଙ୍ଗିରୁଜି ଯାଇଥିଲା । ବ୍ୟବହାର ଅନୁପଯୋଗୀ ଥିଲା । ତେଣୁ ନୂଆ ପାଲିଙ୍କି ଓ ବିମାନ ତିଆରି ପାଇଁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସେହିପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା’ଭୁବନେଶ୍ୱରୀ, ମା’ପାର୍ବତୀଙ୍କ ପାଇଁ ତିନିଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ରୂପା ପ୍ରଭା ନିମନ୍ତେ ଆବଶ୍ୟକ ରୂପା ଓ ଏହାର ସମସ୍ତ ନିର୍ମାଣ ଖର୍ଚ୍ଚ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡାଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ ସେବାରେ ଲାଗୁଥିବା ବିମାନ, ପାଲିଙ୍କି ଓ ପ୍ରଭାର ନିର୍ମାଣ ଦାୟିତ୍ୱ ନେଇଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶ୍ରୀ ପଣ୍ଡାଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଛି ।
Powered by Froala Editor