ଏସିଏଫ ସୌମ୍ୟ ମୃତ୍ୟୁ ମାମଲା : ଆସିଲା ଚାଂଚଲ୍ୟକର ତଥ୍ୟ

ଭୁବନେଶ୍ୱର : ଏସିଏଫ ସୌମ୍ୟରଂଜନ ମହାପାତ୍ର କିଭଳି ମୃତ୍ୟୁବରଣ କଲେ ? ଏଯାଏଁ ତଦନ୍ତକାରୀ ସଂସ୍ଥା ଏହାର ଟେର ପାଉନାହିଁ । ପୁଲିସ ହାତରୁ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଯାଇଛି । କ୍ରାଇମବ୍ରାଂଚ ତଦନ୍ତ ତ୍ୱରାନ୍ୱିତ କରିଛି । ଗତକାଲି ମାରାଥନ ଜେରା ପରେ ଆଜି ଜଣେ ଜଗୁଆଳି ଓ ମାଳିକୁ ପଚରାଉଚରା କରାଯାଇଛି ।
ଜେରା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ଜଗୁଆଳି ସନ୍ତୋଷ ବିଶ୍ୱାଳ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ସୌମ୍ୟ ଯେଉଁଦିନ ମୃତ୍ୟୁବରଣ କଲେ ସେଦିନ ଜିଲ୍ଲାପାଳ ବି ଉପସ୍ଥିତ ଥିଲେ । ତେବେ ଜିଲ୍ଲାପାଳଙ୍କୁ ପଚରାଉଚରା କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଏନେଇ କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଂଜନ ମିଶ୍ର କହିଛନ୍ତିଯେ, ଆମେ ସୌମ୍ୟଙ୍କ ମୃତ୍ୟୁ ସଂକ୍ରାନ୍ତରେ କିଛି ତଥ୍ୟ ହାସଲ କରିଛୁ । ତଦନ୍ତ ତ୍ୱରାନ୍ୱିତ କରାଯାଉଛି । ଆଗକୁ ପ୍ରକୃତ ସତ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳଙ୍କୁ ଜେରା ହେବ କି ବୋଲି ପ୍ରଶ୍ନର ଉତରରେ ଡିଏସପି ଶ୍ରୀ ମିଶ୍ର କହିଛନ୍ତିଯେ, ତାହା ସମୟ କହିବ । ଆବଶ୍ୟକତା ଅନୁସାରେ ସେ ସଂକ୍ରାନ୍ତରେ ବିଚାର କରାଯିବ ବୋଲି ସେ କହିଥିଲେ ।
ପାରଳାଖେମୁଣ୍ଡି ଏସିଏଫ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଘୂରିବୁଲୁଛି । ତାଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ନା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟିହୋଇଛି । ଅପରପକ୍ଷରେ ଏହାର ରହସ୍ୟ ବିଦ୍ୟାଭାରତୀ ଜାଣିଛନ୍ତି ବୋଲି ସୌମ୍ୟଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।
Powered by Froala Editor