କୋଟିଆ ଦଖଲ କରିବାକୁ ବାହାରିଛନ୍ତି ଏହି ବିଧାୟକ, ଜାଣନ୍ତୁ କିଏ?

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି । ଏଭଳି ସ୍ଥିତିରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ପଣ କରିଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା ପିଡ୍ଡିକା । ଆସନ୍ତା ଅଗଷ୍ଟ ୧୬ ତାରିଖରେ ସେ ଫଗୁଣ ସିନେରି ଓ ଫାଟୁ ସିନେରିରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ରାସ୍ତାକଡ଼ରେ ବୃକ୍ଷରୋପଣ, ପ୍ରାଥମିକ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ କମୁ୍ୟନିଟି କେନ୍ଦ୍ରର ଭିତ୍ତିପ୍ରସ୍ତର ପକାଇବେ ସାଲୁର ବିଧାୟକ । ଏହି କାର୍ଯ୍ୟକ୍ରମରେ ପାର୍ବତୀପୁରମର ପିଓ ଆଇଟିଡିଏ, ଉପଜିଲ୍ଲାପାଳ ଓ ଡିଏସପି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ସେହିପରି ଅଗଷ୍ଟ ୧୫ ଦିନ କୋଟିଆର ୨୨ଟି ଗାଁରେ ତେଲୁଗୁ ଭାଷାରେ ଫଳକ ମାରିବାକୁ ଆନ୍ଧ୍ର ଯୋଜନା କରିଛି । ଅପରପକ୍ଷେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର କହିଛନ୍ତି, କୌଣସି ପରିସ୍ଥିତିରେ ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରବେଶ କରିପାରିବ ନାହିଁ । ଯଦି କଲେ ନିୟମ ଅନୁସାରେ ପ୍ରତିରୋଧ କରାଯିବ । ଏହି ଗାଁ ଗୁଡ଼ିକରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଯୋଜନା ହୋଇଛି । ଏଥିପାଇଁ ୧୪ ତାରିଖ ରାତିରୁ ଜିଲ୍ଲାରୁ ପ୍ରତି ଗାଁକୁ ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀ ଯାଇ ପତାକା ଉତ୍ତୋଳନ କରିବେ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଟିଆକୁ କବଜା କରିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଅର୍ଦ୍ଧ ଶତାବ୍ଦୀ ହେଲା ଲାଗି ରହିଛି ବିବାଦ । ଆଉ ବିବାଦରେ ଫସି ଯାଇଛନ୍ତି କୋଟିଆ ଗ୍ରାମପୁଞ୍ଜର ୮ ହଜାର ଲୋକ । ଏପଟେ ଦୁଇ ରାଜ୍ୟ ଆଇନଗତ ଯୁଦ୍ଧରେ ଲାଗିଥିଲେ ମଧ୍ୟ କୋଟିଆକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଚାଲିଛନ୍ତି । ଡାକ୍ତରଖାନା, ଥାନା, ରାସ୍ତାଘାଟ ଓ ହାଇଲେବୁଲ ବ୍ରିଜ କରାଇଥିବା ବେଳେ ହେଲିପ୍ୟାଡ୍ କରାଇବାକୁ ଚାଲିଛି ପ୍ରସ୍ତୁତି । ଗତ ମେ ୮ରେ କୋଟିଆରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇଥିଲା ଆନ୍ଧ୍ର । କିନ୍ତୁ ନିର୍ବାଚନକୁ ନେଇ ନୀତି ନିୟମ ମାନି ନଥିବାରୁ ଆନ୍ଧ୍ର ହାଇକୋର୍ଟ ଭୋଟକୁ ନାକଚ କରିଥିଲେ ।
ସୀମାନ୍ତରେ ଥିବା ୨୨ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି । ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ, କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ୱ ଗାଁ ଓ ୧୨ଟି ପଡ଼ାଗ୍ରାମ ରହିଛି । ଏମିତି ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ ଲୋକ ବାସ କରୁଛନ୍ତି । ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି । ସେଥିରୁ ୨୧ଟି ରାଜସ୍ୱ ଗ୍ରାମ ଓ ୬ଟି ପଡ଼ା ଗ୍ରାମ ରହିଛି । ଏଗୁଡିକ ହେଲା କୋଟିଆ, ଗଂଜେଇପଦର, ମାଡ଼କାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣ ସିନେରି, ଫାଟୁ ସିନେରି, ସଲପଗୁଡ଼ା, କନାଦୋରା, ହର ମାଣତିଙ୍ଗି, ସିଡ଼ିବାଲସା, ମହିପାଣି, ଉପର ସେମ୍ବି, ତଳ ସେମ୍ବି, ଧୂଳିପଦର, ଆରଜୁବାଲସା, ତାଡ଼ିବାଲସା, ନେରେଡ଼ିବାଲସା, ପନିକି, ରଣାସିପ୍ସ ଓ ସୀମାଗାଡ଼ା । ବିବାଦୀୟ ହୋଇ ରହିଥିବା ପଡ଼ା ଗ୍ରାମଗୁଡ଼ିକ ହେଲା ତଳ ଗଂଜେଇପଦର, କୁରୁଡ଼ିପଦର, ଜାନିଗୁଡ଼ା, ପାନକୁବାଲସା, ଟାଙ୍କରବାଲସା ଓ ଉପର ପନିକି ।
Powered by Froala Editor