ଚଳିତ ମାସ ବୃଦ୍ଧି ପାଇବ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା
ନୂଆଦିଲ୍ଲୀ: ଚଳିତ ମାସରେ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା ବୃଦ୍ଧି ପାଇବ । ସେମାନଙ୍କ ଲାଗି ମହଙ୍ଗା ଭତ୍ତା ୨୭.୭୯%କୁ ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଦରମାରେ ପ୍ରତିଫଳିତ ହେବ । ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ତିନି ମାସ ଲାଗି ଏହି ହାରରେ ମହଙ୍ଗା ଭତ୍ତା ମିଳିବ । ଗତ ତ୍ରୟମାସ ତୁଳନାରେ ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ଏଥର ୩ ପ୍ରତିଶତ ବୃଦ୍ଧି ହୋଇଛି । ସେଥିପାଇଁ ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଧିକ ଦରମା ପାଇବେ । ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା କର୍ମଚାରୀମାନେ ଘରକୁ ନେଉଥିବା ଦରମାରେ ବୃଦ୍ଧି ହୋଇଥିଲା । ବ୍ୟାଙ୍କ ପେନସନ ଭୋଗୀମାନଙ୍କ ପାଇଁ ମଧ୍ୟ ମହଙ୍ଗା ରିଲିଫ ବଢ଼ିବ । ୨୦୧୭ ନଭେମ୍ବର ୧ ପରେ ଯେଉଁମାନେ ଅବସର ଗ୍ରହଣ କରିଥିବେ ସେମାନଙ୍କୁ ୨୭.୭୯ ପ୍ରତିଶତର ମହଙ୍ଗା ରିଲିଫ ମିଳିବ । ଚାକିରିରେ ଥିବା କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଓ ପେନସନଭୋଗୀମାନଙ୍କୁ ମହଙ୍ଗା ରିଲିଫ ପ୍ରଦାନ କରାଯାଏ । ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଲାଗି ସରକାରୀ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ମହଙ୍ଗା ଭତ୍ତା ଉପାଦାନକୁ ସାମିଲ କରାଯାଇଛି । ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରରେ ପ୍ରତି ତିନି ମାସରେ ବ୍ୟାଙ୍କ କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତା ହିସାବ କରାଯାଏ । ଯେହେତୁ ଏହା ଜୀବନ ବଞ୍ଚିବା ଖର୍ଚ୍ଚ ସହ ଜଡ଼ିତ ତେଣୁ ବିଭିନ୍ନ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ଭତ୍ତା ମିଳିଥାଏ । କର୍ମଚାରୀଙ୍କ କର୍ମକ୍ଷେତ୍ରର ସ୍ଥିତି ଯଥା ସହରାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଧାରରେ ସେମାନଙ୍କୁ ମହଙ୍ଗା ଭତ୍ତା ଦିଆଯାଏ । ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଲାଗି ଏକ ସ୍ୱତନ୍ତ୍ର ହିସାବ ରହିଛି । ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ମାସରେ ଜାରି କରାଯାଉଥିବା ‘ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ-ଶିଳ୍ପ ଶ୍ରମିକ’କୁ ଏଥିପାଇଁ ବିଚାରକୁ ନିଆଯାଏ । ଏକ ନିର୍ଦିଷ୍ଟ ମାସର ଶେଷ ତାରିଖରେ ଏହାର ପୂର୍ବ ମାସର ସୂଚୀକୁ ଜାରି କରାଯାଏ । ତିନିଟି ମାସର ହାରାହାରି ହାରକୁ ହିସାବ କରି ବ୍ୟାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ପରିମାଣ ଧାର୍ଯ୍ୟ କରାଯାଥଏ ।
Powered by Froala Editor