ସ୍ୱାଧୀନତା ଦିବସ ପୂର୍ବରୁ ଅଧିକ ସତର୍କତା ଚେତାବନୀ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଭାରତର ସୁରକ୍ଷା ସଂସ୍ଥାଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଚେତାବନୀ ଦିଆଯାଇଛି । ଗୋଇନ୍ଦା ତଥ୍ୟରୁ ଜଣାପଡିଛି ଯେ ପାକିସ୍ତାନୀ ଆତଙ୍କବାଦୀମାନେ ଦେଶର ସୁରକ୍ଷା ପ୍ରତିଷ୍ଠାନ, ସମ୍ମୁଖ ପୋଷ୍ଟ ଆଦି ଉପରେ ଆକ୍ରମଣ କରିବାକୁ ଟାର୍ଗେଟ କରିଥିବା ବେଳେ ସେମାନେ ଦେଶ ଭିତରକୁ ନାନା ଭାବରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପ୍ରବେଶ କରାଇବାରେ ଲାଗିଛନ୍ତି । ଏକାଧିକ ଗୋଇନ୍ଦା ସଂସ୍ଥା ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଦେଇଥିବା ସୂଚନା ଅନୁସାରେ ଲସ୍କର-ଏ-ତୋଇବା ଏବଂ ଜୈସ-ଏ-ମହମ୍ମଦ ସମେତ ବିଭିନ୍ନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅଧିକ ସତର୍କ କରାଯାଇଛି । ଦେଶର ପ୍ରମୁଖ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ସୁରକ୍ଷା ପ୍ରତିଷ୍ଠାନ, ଫରୱାର୍ଡ ପୋଷ୍ଟ ଏବଂ ପ୍ରତିରକ୍ଷା ବାହିନୀ ସେମାନଙ୍କ ଟାର୍ଗେଟରେ ଅଛନ୍ତି ଏବଂ ଏହି ଆକ୍ରମଣ ପାଇଁ ଅତ୍ୟାଧୁନିକ ଆଇଇଡି ବ୍ୟବହାର କରାଯାଇପାରେ ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ।
Powered by Froala Editor