ଡେଲ୍ଟା ପ୍ଲସ ଭାରିଏଣ୍ଟ ,ପ୍ରଥମ ରୋଗୀ ମୃତ

ମୁମ୍ବାଇ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟର ଭୟ ଟଳି ନଥିବା ବେଳେ ଏବେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡରାଇବା ଆରମ୍ଭ କରିଛି। ବହୁରୂପି କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟରେ ସଂକ୍ରମିତ ହୋଇ ମୁମ୍ବାଇରେ ଜଣେ ୬୩ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ସ୍ପଷ୍ଟ କରିଛନ୍ତି ସରକାର। ମୁମ୍ବାଇରେ ଡେଲ୍ଟା ପ୍ଲସରେ କେହି ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ସେହିପରି ମହାରାଷ୍ଟ୍ରରେ ଏହା ଦ୍ୱିତୀୟ କେସ୍।
ସରକାରଙ୍କ ସୂଚନା ଅନୁସାରେ, ଏହି ୬୩ ବର୍ଷୀୟ ମହିଳା ଜଣଙ୍କ ଜୁଲାଇ ୨୧ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ମଧୁମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ସେହିପରି ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମିତ ହୋଇସାରିଥିଲା। ଏହାପୂର୍ବରୁ ରତ୍ନଗିରିରେ ଜଣେ ୮୦ ବର୍ଷୀୟ ବୃଦ୍ଧ ଡେଲ୍ଟା ପ୍ଲସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।
ଜୁଲାଇ ୨୭ରେ ପ୍ରାଣ ହରାଇଥିବା ମହିଳା ଜଣଙ୍କ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ଟିକା ନେବା ପରେ ମୁମ୍ବାଇରେ ୭ ଜଣ ମହିଳା ସଂକ୍ରମିତ ହୋଇଥିଲେ। ଏହାପରେ ସେମାନଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ବୁଧବାର ଏମାନେ ସମସ୍ତେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
Powered by Froala Editor