ଅନଶନରୁ ଓହରିଲେ କଂଗ୍ରେସ କର୍ମୀ

ରଘୁନାଥପୁର / ଗୋପାଳପୁର : ରଘୁନାଥପୁର ବ୍ଲକ ନିକଟରେ ଉକ୍ରଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରୁ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଦାବିରେ ଅନଶନ ଚଳାଇଥିବା ଇଂ.ହିମାଂଶୁ ମଲ୍ଲିକ ଓ ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ଆମରଣ ଅନଶନ ସପ୍ତମ ଦିନରେ ପହଞ୍ଚିଛି । ହିମାଂଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନଶନ ସ୍ଥଳରେ ଜଗତିସଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପହଞ୍ଚି ସେମାନଙ୍କ ଦାବିକୁ ରାଜ୍ୟ ସରକାରଙ୍କୁ ପଠାଇବେ, ସରକାରଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତିର ସ୍ଥିତାବସ୍ଥା ବଜାୟ ରହିବ । ଘୋଡ଼ା ହୋଇଥିବା ପ୍ରତିମୂର୍ତ୍ତିକୁ କେହି ଉନ୍ମୋଚନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ କଂଗ୍ରେସ କର୍ମୀମାନେ ଧାରଣାରୁ ଓହରି ଯାଇଛନ୍ତି । ଅନ୍ୟପକ୍ଷରେ ୯ ଦିନ ହେଲା ଧାରଣା ଜାରି ରଖିଥିବା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା ଘୋଷଣା କରିଛନ୍ତି, ସରକାରଙ୍କ ଠାରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ନିଦେ୍ର୍ଧଶ ନଆସିବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲିବ । ଆନେ୍ଦାଳନସ୍ଥଳରେ ଅପରାହ୍ନରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ପୂର୍ବତନ ସାଂସଦ ରଂଜୀବ ବିଶ୍ୱାଳ, ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ପ୍ରମୁଖ ପହଞ୍ଚି ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ଦାବି ଓ ଭାବାବେଗକୁ ସମ୍ମାନ ଜଣାଇ ସରକାର ତୁରନ୍ତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଥିଲେ ।
Powered by Froala Editor