ରାଜ୍ୟସଭାରେ କାନ୍ଦି ପକାଇଲେ ଭେଙ୍କୟା,କାହିଁକି ଜାଣନ୍ତୁ?
ନୂଆଦିଲ୍ଲୀ : ଗୃହରେ ଗତକାଲି ବିରୋଧୀ ସଭ୍ୟମାନେ ଯେଉଁଭଳି ହଙ୍ଗାମା କରିଥିଲେ ତାକୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ନାଇଡ଼ୁ ଗତକାଲିର ଘଟଣାରେ ଉଦବେଗ ପ୍ରକାଶ କରିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ । କହିଥିଲେ, ଗୃହର ପବିତ୍ରତାକୁ ଯେଉଁଭଳି ଭାବେ ନଷ୍ଟ କରାଯାଉଛି ସେଥିରେ ମୁଁ ଖୁବ ଦୁଃଖିତ । ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିବାପାଇଁ କିମ୍ବା ନିନ୍ଦା କରିବାପାଇଁ ତାଙ୍କ ପାଖରେ କିଛି ଭାଷା ନାହିଁ । ଗତକାଲି ରାତିରେ ସେ ଶୋଇପାରିନଥିବା କହିଛନ୍ତି । ଏକଥା କହିବା ସମୟରେ ନାଇଡୁ ତାଙ୍କ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ଗତକାଲି ଗୃହରେ ଯେଉଁ ବିରୋଧୀ ଦଳ ନେତାମାନେ ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନାଇଡୁ କହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ଗୃହର ନେତା ପୀୟୂଷ ଗୋୟଲ ଏବଂ ବିଜେପି ସାଂସଦଙ୍କ ସହ ବେଠକ କରିବାପରେ ନାଇଡୁ ଏହି ଚେତାବନୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତକାଲି କଂଗ୍ରେସ, ଟିଏମସି ଏବଂ ଆପ ଦଳର ନେତାଙ୍କ ସହ ଅନ୍ୟ ବିରୋଧୀ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ନେତା ପ୍ରତାପ ସିଂହ ବଜୱା ଟେବୁଲ ଉପରକୁ ଚଢ଼ିଯାଇ ସରକାରୀ ଫାଇଲ ଫୋପାଡ଼ି ଦେଇଥିଲେ । ଅନେକ ବିରୋଧୀ ନେତା ଟେବୁଲ ଉପରକୁ ଚଢ଼ି ଯାଇଥିଲେ ।
Powered by Froala Editor