ହୋହଲ୍ଲାରେ ଚାଲିପାରିଲାନି, ଦୁଇ ଦିନ ଆଗରୁ ସରିଲା ମୌସୁମୀ ଅଧିବେଶନ
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ପେଗାସସ୍, ଚାଷୀ ଆନ୍ଦୋଳନ, ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀ ସଂସଦର ଉଭୟ ସଦନରେ ହୋ ହାଲ୍ଲା କରିବା ପରେ ଶେଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ତାରିଖର ଦୁଇଦିନ ପୂର୍ବରୁ ଲୋକସଭାକୁ ସ୍ଥଗିତ କରାଯାଇଛି । ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ଜଣାପଡିଛି ।
ଜୁଲାଇ ୧୯ରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ଅଗଷ୍ଟ ୧୩ ଯାଏ ଚାଲିବାର ଥିଲା। କିନ୍ତୁ ବିରୋଧୀଙ୍କ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲି ପାରୁ ନଥିଲା। ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର ୨ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
ଗତକାଲି ଉଭୟ ସଦନରେ ଓବିସି ସଂରକ୍ଷଣ ବିଲକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି କରିବା ସହ ବାଚସ୍ପତିଙ୍କ ଉପରକୁ କାଗଜ ଟୁକୁଡା ଫିଙ୍ଗିଥିଲେ, ଯାହାକି ଭାରତୀୟ ସମ୍ବିଧାନକୁ ଅପମାନ ବୋଲି ଶାସକ ଦଳ ଅଭିଯୋଗ କରିଥିଲା ।
ଆଜି ବାଚସ୍ପତି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ନିକଟରେ ପରଲୋକ ଘଟିଥିବା ଗୃହର ୪ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଏହାପରେ ପୁଣି ହଟ୍ଟଗୋଳ ଆରମ୍ଭ ହୋଇଥିଲା। ପୂରା ମୌସୁମୀ ଅଧିବେଶନରେ ଏପରି ସ୍ଥିତି ଲାଗି ରହିଥିବାରୁ ବାଚସ୍ପତି ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଶା ଅନୁସାରେ ଚଳିତ ମୌସୁମୀ ଅଧିବେଶନ ଆଦୌ ଚାଲିପାରିନାହିଁ। ଏଥିପାଇଁ ମୁଁ ମର୍ମାହତ। ମୁଁ ସବୁବେଳେ ଅଧିକରୁ ଅଧିକ କାର୍ଯ୍ୟ ଗୃହରେ କରାଯାଉ ବୋଲି ଚେଷ୍ଟା କରିଥିଲି। ଏଥିସହ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ସପକ୍ଷରେ ଥିଲି। ତଥାପି ଗୃହ କାର୍ଯ୍ୟ ଆଶା ଅନୁସାରେ ହୋଇପାରି ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିରୋଧୀ ଓ ସରକାର କ’ଣ କରିବେ କ’ଣ ନକରିବେ ସେନେଇ ଗୃହ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ । କିନ୍ତୁ ଏଭଳି ହୋ ହାଲ୍ଲା ଭିତରେ ଗୃହ ଚଳାଇବା ସମ୍ଭବ ନୁହେଁ।
Powered by Froala Editor