ହିମାଚଳରେ ବଡ଼ ଭୂସ୍ଖଳନ: ଫସିଗଲା ବସ୍, କାର, ଟ୍ରକ୍
ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ନିଗୁଲସରିରେ ଜାତୀୟ ରାଜପଥ ୫ରେ ବଡ଼ଧରଣ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖଣ୍ଡ ସବୁ ଖସି ଗୋଟିଏ ବସ୍ , ଟ୍ରକ ଓ ଏକାଧିକ କାର୍ ଫସି ରହିଥିବା ଅନୁମାନ କରାଯାଉଛି। ବସ୍ଟିରେ ୪୦ରୁ ଅଧିକ ଲୋକ ରହିଥିବା କୁହାଯାଉଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ଅଧିକାରୀ ପହଞ୍ଚିଛନ୍ତି। ସ୍ଥାନୀୟଲୋକ ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।
ସୂଚନା ଅନୁସାରେ, ବସ୍ଟି ଲୋକମାନଙ୍କୁ ଧରି କନ୍ନୌରରୁ ହରିଦ୍ୱାର ଯାଉଥିଲା। ତେବେ ଛାଉରା ଠାରେ ଭୂସ୍ଖଳନର ଶିକାର ହୋଇଛି। ବସ୍ରେ ପଥର ଖଣ୍ଡ ମାଡ଼ ହେବା ସହ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇ ଯାଇଛି। ଭୂସ୍ଖଳନ ପରେ ଛେଲ ଜଙ୍ଗଲ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୫ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ବସ ଛଡା ଏକ ଟ୍ରକ ଓ ୨ଟି କାର ସମେତ ୪ ଅନ୍ୟ ଗାଡି ପାହାଡ ତଳେ ଚାପି ହୋଇଛି। ଏବେ ବି ପାହାଡ଼ ଉପରୁ ମାଟି ଅତଡ଼ା ସହ ପଥର ଖସୁ ଥିବାରୁ ଉଦ୍ଧାର କାର୍ଯ୍ୟ ଠିକ୍ ଭାବେ ହୋଇପାରୁ ନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଟିମ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଲିସ୍ ଓ ସ୍ଥାନୀୟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor