ମହିଳାଙ୍କୁ ପ୍ରେମ ଚିଠି ଲେଖିବା ଅପରାଧ: କୋର୍ଟ
ମୁମ୍ବାଇ: ମହିଳାଙ୍କୁ ପ୍ରେମ ଚିଠି ଲେଖିବା କିମ୍ବା ପ୍ରେମ ନିବେଦନ କରିବା ଏକ ପ୍ରକାର ଅପରାଧ । ଏହା ମହିଳାଙ୍କ ଚରିତ୍ରକୁ ଆଘାତ ପହଞ୍ଚାଏ । ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ।
୨୦୧୧ ଅକ୍ଟୋବର ୪ରେ ଜଣେ ୪୫ ବର୍ଷୀୟ ମହିଳା ଅକୋଲାରେ ଥିବା ସିଭିଲ ଲାଇନ ପୁଲିସ୍ ଷ୍ଟେସନରେ ଜଣେ ଯୁବକଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ । ଏଥିରେ ସେ ଦର୍ଶାଇ ଥିଲେ ଯେ, ଶ୍ରୀକୃଷ୍ଣ ନାମକ ଜଣେ ଯୁବକ ତାଙ୍କ ଘର ନିକଟରେ ଗ୍ରୋସରୀ ଦୋକାନ କରିଛନ୍ତି । ୨୦୧୧ ଅକ୍ଟୋବର ୩ରେ ଯୁବକ ଜଣଙ୍କ ତାଙ୍କ ପାଖକୁ ଆସିବା ସହ ଏକ ଚିଠି ଦେବାକୁ ଚାହିଁଥିଲେ । ମହିଳା ଜଣଙ୍କ ଚିଠି ନେବାକୁ ମନା କରିବାରୁ ଶ୍ରୀକୃଷ୍ଣ ଏହା ତାଙ୍କ ଉପରକୁ ଫୋପାଡ଼ି ଥିଲା । ଆଇ ଲଭ ୟୁ କହି ଦୌଡ଼଼ି ପଳାଇ ଥିଲା । ପରଦିନ ପୁଣି ଅଶ୍ଳୀଳ ଇଙ୍ଗିତ କରିବା ସହ ଚିଠିରେ ଥିବା ବିଷୟବସ୍ତୁ କାହା ଆଗରେ ନ କହିବାକୁ ଧମକ ଦେଇଥିଲା ।
ଚିଠିରେ ଥିବା ବିଷୟବସ୍ତୁ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅକୋଲା ସେସନ୍ସ କୋର୍ଟ ଶ୍ରୀକୃଷ୍ଣଙ୍କୁ ମହିଳାଙ୍କ ଚରିତ୍ରକୁ ଆଘାତ ପହଞ୍ଚାଇବା ଘଟଣାରେ ଆଇପିସିର ୩୫୪, ୫୦୬ ଓ ୫୦୯ ବଳରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜରିମାନା ଦେବାକୁ କହିଥିଲେ । ଏହି ଅର୍ଥରୁ ୩୫ ହଜାର ଟଙ୍କା ପୀଡ଼଼ିତାଙ୍କୁ ମିଳିବ ବୋଲି କୋର୍ଟ କହିଥିଲେ । ଏହାକୁ ବିରୋଧ କରି ଶ୍ରୀକୃଷ୍ଣ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ।
ମାମଲାର ଶୁଣାଣି କରି ଜଷ୍ଟିସ ରୋହିତ ଦେଓ କହିଛନ୍ତି, ଅଭିଯୁକ୍ତ ନିଜ ଦୋଷକୁ ସୁଧାରିବା ପାଇଁ ଗୋଟିଏ ସୁଯୋଗ ମିଳିବା ଦରକାର । ଆଉ ଅଧିକ ଜେଲ୍ ଦଣ୍ଡ ଦେବା ଠିକ୍ ନୁହେଁ । କାରଣ ସେ ୪୫ ଦିନ ଜେଲରେ ରହିଛନ୍ତି । ଆଇପିସିର ଧାରା ୩୫୪ରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ସର୍ବନିମ୍ନ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ନାହିଁ । ତେଣୁ ଶ୍ରୀକୃଷ୍ଣ ହାଇକୋର୍ଟ ଲାଗୁ କରିଥିବା ୫୦ ହଜାର ଓ ସେସନ୍ସ କୋର୍ଟ ଲାଗୁ କରିଥିବା ୪୦ ହଜାର ଟଙ୍କା ଫାଇନ ଆକାରରେ ତଳ କୋର୍ଟରେ ଦାଖଲ କରିବେ । ଏହା ପୀଡ଼ିତାଙ୍କୁ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor