ନେତାଙ୍କ ଅପରାଧୀ ରେକର୍ଡ ସାର୍ବଜନୀନ କରିନଥିଲେ, ଜରିମାନା ଦେଲେ ଏହି ସବୁ ଦଳ
ନିର୍ବାଚନ ବେଳେ ନେତାଙ୍କ ଅପରାଧ ସମ୍ପର୍କୀତ ରେକର୍ଡ ସାର୍ବଜନୀନ ନକରିବାରୁ ୮ଟି ଦଳକୁ ମୋଟା ଅଙ୍କର ଜରିମାନା କରାଯାଇଛି । କୋର୍ଟ ବାରମ୍ବାର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ବିଜେପି ଓ କଂଗ୍ରେସ ସମେତ ୯ଟି ଦଳ ଅପରାଧ ସମ୍ପର୍କୀତ ରେକର୍ଡ ସାର୍ବଜନୀନ କରିନାହାନ୍ତି। ଏଥିପାଇଁ ୯ଟି ଦଳକୁ ଅଦାଲତ ଅବମାନନା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଗତବର୍ଷ ବିହାର ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରି ନଥିବାରୁ କଂଗ୍ରେସ, ବିଜେପି ଓ ଅନ୍ୟ ୪ଟି ଦଳକୁ କୋର୍ଟ ୧ ଲକ୍ଷ ଟଙ୍କା ଲେଖାଏ ଫାଇନ ଦେବାକୁ କହିଛନ୍ତି। ଏମାନଙ୍କ ମଧ୍ୟରେ ଆରଜେଡି, ଜନତା ଦଳ ୟୁନାଇଟେଡ(ଜେଡିୟୁ), ଲୋକ ଜନଶକ୍ତି ପାର୍ଟି ଓ ସିପିଆଇ ରହିଛନ୍ତି। ସେହିପରି ଏନସିପି ଓ ସିପିଏମକୁ ୫ ଲକ୍ଷ ଟଙ୍କା ଲେଖାଏ ଫାଇନ କରାଯାଇଛି। ଏମାନଙ୍କୁ ୪ ସପ୍ତାହ ମଧ୍ୟରେ ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ବହୁଜନ ସମାଜ ପାର୍ଟି ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ସୁପ୍ରିମକୋର୍ଟ କେବଳ ଏହି ଦଳକୁ ଚେତାବନୀ ଦେଇ ଛାଡ଼ି ଦେଇଛନ୍ତି।
ଜଷ୍ଟିସ ଆରଏଫ ନରିମନ ଓ ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠ କହିଛନ୍ତି, ରାଜନୀତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସେମାନଙ୍କର ୱେବସାଇଟର ହୋମପେଜ୍ରେ ଉଲ୍ଲେଖ କରିବେ। ହୋମପେଜ୍ରେ ଏକ “ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ” ଶୀର୍ଷକ ସ୍ଲଟ କରାଯାଇ ସେମାନଙ୍କ ନାଁ ରଖାଯିବ। ନିର୍ବାଚନ କମିଶନ ଗୋଟିଏ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ସୃଷ୍ଟି କରିବେ। ଏଥିରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ରେକର୍ଡ ବିଷୟରେ ସୂଚନା ଉଲ୍ଲେଖ କରିବେ। ସୋଶାଲ ମିଡିଆ, ୱେବସାଇଟ୍, ଟିଭି ବିଜ୍ଞାପନ, ପ୍ରାଇମ ଟାଇମ୍ ବିତର୍କ, ପାମ୍ପଲେଟ୍ ଜରିଆରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ବିଷୟରେ ତଥ୍ୟ ପ୍ରଦାନ କରାଯିବ।
Powered by Froala Editor