ଲୋକସଭାରେ ମଞ୍ଜୁରୀ : ଏବେ ରାଜ୍ୟ ତିଆରି କରିପାରିବେ ଓବିସି ତାଲିକା

ରାଜ୍ୟକୁ ନିଜର ଓବିସି(ପଛୁଆ ବର୍ଗ) ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେଉଥିବା ସାମ୍ବିଧାନିକ ସଂଶୋଧନ ବିଧେୟକକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଭୋଟିଂ ଜରିଆରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଧେୟକ ଲୋକସଭାରେ ଗୃହୀତ ହୋଇଛି। ୭ ରାଜ୍ୟର ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଥିଲା । ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି । ଓବିସି ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଛି। ଏହି ଓବିସି ସଂଶୋଧନ ବିଲ୍ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଥିବା ବେଳେ ଜଣେ କେହି ବି ଏହା ବିରୋଧରେ ମତ ଦେଇନାହାନ୍ତି।
୧୦୨ତମ ସମ୍ବିଧାନ ସଂଶୋଧନ ଯୋଗୁ ଓବିସି ତାଲିକା ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ହାତରୁ ଚାଲିଯାଇଥିଲା । ଯଦି ରାଜ୍ୟଗୁଡିକର ତାଲିକା କରିବା କ୍ଷମତା ରହିବ ନାହିଁ ତେବେ ଦେଶରେ ୬୭୧ ଓବିସି ଜାତି ଏହି ସୁବିଧାରୁ ବଞ୍ଚିତ ହେବେ । ସେପଟେ ବିଲକୁ ସମର୍ଥନ କରିଛି ବିଜେଡି । ହେଲେ ରାଜ୍ୟ ତାର ସ୍ୱତନ୍ତ୍ର ପଛୁଆ ବର୍ଗଙ୍କ ଗଣନା କରିବ ବୋଲି ବିଜେଡି କହିଛି ।
ଲୋକସଭାରେ ବିଲ୍ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ମଧ୍ୟ ଏହା ପାସ ହୋଇଯିବ ଏବଂ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦ ଲାଗି ପଠାଯିବ । ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲେ ରାଜ୍ୟମାନେ ତିଆରି କରିବେ ଓବିସି ତାଲିକା ।
ଏହି ବିଧେୟକ ଉପରେ ଗୃହରେ ବିତର୍କ ସମୟରେ ଅନେକ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଜାତି ଆଧାରିତ ଜନଗଣନା କରାଇବାକୁ ମଧ୍ୟ ଦାବି କରିଛନ୍ତି। ଏହା ବ୍ୟତୀତ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ଦାବି କରିଛନ୍ତି। ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଏଆଇଏମଆଇଏମର ଅସଦୁଦ୍ଦିନ ଓଓ୍ଵେସି ସମେତ ଅନେକ ନେତା ଏହି ଦାବି କରିଥିଲେ। ଅଖିଳେଶ ଯାଦବ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା କରିବାର ସମୟ ଆସି ଯାଇଛି। ଯଦି ଆପଣ ଏମିତି କରିବେ ନାହିଁ ତେବେ ୟୁପିରେ ସମାଜବାଦ ସରକାର ଗଠନ ପରେ ଆମେ ଏମିତି କରିବୁ। ବିଜେପିକୁ କେନ୍ଦ୍ର ଓ ବିହାରରେ ସମର୍ଥନ ଦେଉଥିବା ଜେଡିୟୁ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଛି।
Powered by Froala Editor