ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଓଡ଼ିଶା ମଡେଲକୁ ପ୍ରଶଂସା, କାହିଁକି ଜାଣନ୍ତୁ?
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସଫଳତା ପାଇଁ ଓଡ଼ିଶା ମଡେଲକୁ ପ୍ରଶଂସା କରିଛି ଗ୍ରାମୀଣ ବିକାଶ ମନ୍ତ୍ରାଳୟ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି । ଓଡ଼ିଶା ମଡେଲ ଆପଣାଇବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେବା ନିମନ୍ତେ କମିଟି ଏହି ମନ୍ତ୍ରାଳୟକୁ ସୁପାରିସ କରିଛି । ସଂସଦରେ ଉପସ୍ଥାପିତ କମିଟି ରିପୋର୍ଟରେ ଏହା କୁହାଯାଇଛି । ଯୋଜନାରେ ଆବାସଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ନୂଆ ପନ୍ଥା ଗ୍ରହଣ କରିଛନ୍ତି । ପ୍ରତି ଦଶ ଜଣ ହିତାଧିକାରୀଙ୍କ ସହିତ ଜଣେ କ୍ଷେତ୍ର ପଦାଧିକାରୀଙ୍କୁ ଯୋଡ଼ି ଦିଆଯାଇଛି । ଯାହା ଫଳରେ ଏହି ଯୋଜନା ସଫଳ ହୋଇପାରିଛି ବୋଲି ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି । ପ୍ରତାପ ରାଓ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଯୋଜନାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ‘ଫିଜିକାଲ ପ୍ରୋଗ୍ରେସ’ର ରାଜ୍ୟୱାରି ସୂଚନା ସଂପର୍କରେ ଅବଗତ କରାଯାଇଛି । ଏହି ଯୋଜନାରେ ୨୦୨୦-୨୧ରେ ୬ ଲକ୍ଷ ୮୯ ହଜାର ୯୯୦ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେହିଭଳି ଯୋଜନାରେ ୨୦୨୦-୨୧ରେ ମଞ୍ଜୁର ୬୫୬ କୋଟି ୮୫ ଲକ୍ଷ ଟଙ୍କାରୁ ୫୨୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ରିପୋର୍ଟରେ ସ୍ଥାୟୀ ପ୍ରତୀକ୍ଷା ସୂଚିରେ ୬୦ ହଜାର ୭୯୮ ଜଣ ଭୂମିହୀନ ହିତାଧିକାରୀ ରହିଥିବା ବେଳେ ୮ ହଜାର ୬୭ ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇ ଦିଆଯାଇଥିବା ସଂପର୍କରେ କୁହାଯାଇଛି । ୫୨ ହଜାର ୭୩୧ ହିତାଧିକାରୀଙ୍କୁ ଏବେବି ଜମି ମିଳିନଥିବାର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି ।
Powered by Froala Editor