ହସ୍ପିଟାଲ ଖୋଲା, ରୋଗୀଙ୍କ ଚିକିତ୍ସା ପାଇଁ ନାହିଁ ଆବଶ୍ୟକ ଉପକରଣ, ଜାଣନ୍ତୁ କେଉଁଠି?
ୱାସିଂଟନ: ଆମେରିକାରେ ସ୍ଥିତି ଜଟିଳ ହୋଇଛି । ଡେଲଟା ପାଇଁ ଆମେରିକାରେ ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି । ଅଷ୍ଟିନରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି । ପ୍ରାୟ ୨.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଅଷ୍ଟିନରେ ଏବେ ମାତ୍ର ୬ଟି ଆଇସିୟୁ ବେଡ ଖାଲି ଅଛି । ମୋଟ ୩୧୩ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି । ଅଷ୍ଟିନରେ ଅତି ଖରାପ ସ୍ଥିତି । ହସ୍ପିଟାଲ ଖୋଲା ଅଛି । କିନ୍ତୁ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ନାହିଁ । ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି । ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହୁଥିବାବେଳେ ହସ୍ପିଟାଲରେ ଖୁବ କମ ବେଡ ଉପଲବ୍ଧ ଅଛି । ତେବେ ଆମେରିକାରେ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ୁ ଥିବାରୁ ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ଡାକ୍ତର ଆନ୍ଥୋନି ଫୌସି କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଶୀଘ୍ର ବୁଷ୍ଟର ଡୋଜ ଦେବାପାଇଁ ପରାମର୍ଶ ଦେଇଛନ୍ତି । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଗୁରୁତ୍ୱ ଦେଇ ବୁଷ୍ଟର ଡୋଜ ଦେବାକୁ ଫୌସି କହିଛନ୍ତି । ଆମେରିକାରେ ମୋଟ ସଂକ୍ରମଣ ମାମଲା ୩୬,୫୪୩,୩୩୮ ଥିବାବେଳେ ୬୩୩,୧୧୬ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ସଂକ୍ରମଣ ବଢ଼ୁଥିବାବେଳେ ଆମେରିକାରେ ଟିକାକରଣ ମନ୍ଥର ହୋଇଯାଇଛି । ଏହା ଖୁବ ଚିନ୍ତାଜନକ । ଆମେରିକା ସମତେ ବିଶ୍ୱର ଅନ୍ୟାନ୍ୟ ଦେଶ ଯଥା ଚୀନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଆଦି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ।
Powered by Froala Editor