ଏଲପିଜି ସଂଯୋଗ ପାଇଁ ଗଣିବାକୁ ପଡ଼ିବନି ଜମା ରାଶି
ନୂଆଦିଲ୍ଲୀ: ଘରେ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟ ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୦ ତାରିଖରେ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ଭାଗର ଶୁଭାରମ୍ଭ କରିବେ । ଉତ୍ତରପ୍ରଦେଶର ମେହବୁବା ଅଞ୍ଚଳରେ ଏହା ଆରମ୍ଭ ହେବ । ହିତାଧିକାରୀଙ୍କୁ ଏଲପିଜି ସଂଯୋଗ ପାଇଁ ଜମା ରାଶି ଗଣିବାକୁ ପଡ଼ିବନି । ସେମାନଙ୍କୁ ପ୍ରଥମ ରିଫିଲ ଓ ହଟପ୍ଲେଟ ବିନା ମୂଲ୍ୟରେ ମିଳିବ । ନୂଆ ସଂଯୋଗ ନେବା ଲାଗି ସର୍ବନିମ୍ନ କାଗଜପତ୍ର କାର୍ଯ୍ୟ ହେବ । ପ୍ରବାସୀମାନଙ୍କୁ ରାସନ କାର୍ଡ କିମ୍ବା ଠିକଣା ପ୍ରମଣାପତ୍ର ଦେବାକୁ ପଡ଼ିବନି । ହିତାଧିକାରୀ ନିଜ ଆଡୁ ପରିବାରର ଯେଉଁ ଘୋଷଣାନାମା ଦାଖଲ କରିବେ ତାହାକୁ ଠିକଣା ପ୍ରମାଣପତ୍ର ଭାବେ ବିଚାର କରାଯିବ । ୨୦୧୬ ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ପାଞ୍ଚ କୋଟି ହିତାଧିକାରୀଙ୍କ ନିକଟରେ ଏଲପିଜି ସଂଯୋଗ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଥିଲା । ୨୦୧୮ ଏପି୍ରଲରେ ଏହି ଯୋଜନାକୁ ସମ୍ପ୍ରସାରିତ କରି ସେଥିରେ ଅଧିକ ବର୍ଗଙ୍କୁ ସାମିଲ କରାଯାଇଥିଲା । ସେହି ନିଷ୍ପତ୍ତି ଯୋଗୁଁ ଚା’ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକ, ଜଙ୍ଗଲ ଓ ଦ୍ୱୀପରେ ବାସ କରୁଥିବା ଲୋକ, ଏସସି/ଏସସି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦ୍ୟୋୟ ଅନ୍ନ ଯୋଜନା ଏବଂ ସବୁଠୁ ପଛୁଆ ବର୍ଗରେ ଥିବା ପରିବାରଗୁଡ଼ିକ ଉପକୃତ ହୋଇଥିଲେ ।
Powered by Froala Editor