ନୃଶଂସତା ଟପିଲେ ତାଲିବାନୀ ଆତଙ୍କୀ : ଟାଇଟ୍ ଡ୍ରେସ୍ ପିନ୍ଧିଥିବା ମହିଳାଙ୍କୁ ଗୁଳି କରି ହତ୍ୟା
ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଛି ତାଲିବାନ । ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିଥିବାରୁ ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କୀ । ଆଫଗାନିସ୍ତାନର ଉତ୍ତର ବଲ୍ଖ ଅଞ୍ଚଳରେ ଏହି ଘଟଣା ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ତାଲିବାନ ଅଧିନରେ ଥିବା ବଲ୍ଖର ସମର କ୍ୱାନ୍ଦ ଗାଁରେ ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିଥିଲେ । ହେଲେ ସେ ସଂପୂର୍ଣ୍ଣ ଏକୁଟିଆ ଥିଲେ ଅର୍ଥାତ ସାଙ୍ଗରେ କୌଣସି ପୁରୁଷ ବନ୍ଧୁ ନଥିଲେ । ତେବେ ଏଥିରେ ଉତ୍କ୍ଷୀପ୍ତ ହୋଇ ମହିଳାଙ୍କୁ ଦେଖି ଗୁଳି କରି ହତ୍ୟା କରିଛି ତାଲିବାନ । ପୋଲିସର ସୂଚନା ଅନୁସାରେ, ୨୧ବର୍ଷୀୟା ମହିଳା ନାଜାନିନ୍ ଘରୁ ବାହାରି ମଜାର- ଏ- ସରିଫ ଯିବା ପାଇଁ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ ।
ତାଲିବାନୀ ଆଇନ୍ ଅନୁଯାୟୀ ଏହା ଦୋଷାବହ ହୋଇଥିବାରୁ ଯୁବତୀ ଜଣକଙ୍କୁ ଆତଙ୍କବାଦୀମାନେ ଏଭଳି ଦଣ୍ଡ ଦେଇଛନ୍ତି ବୋଲି ପୁଲିସ କହିଛି। ସେପଟେ ଏହି ଅଭିଯୋଗକୁ ତାଲିବାନ ଅସ୍ୱୀକାର କରିଛି।
ଦ ଡେଲି ମେଲ୍ର ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଏବେ ଧୀରେ ଧୀରେ ତାଲିବାନର କବ୍ଜା ବଢ଼ିବାରେ ଲାଗିଛି। ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପାଇଁ ଚେଷ୍ଟା କରୁଛି ତାଲିବାନ। ଯୁବତୀ ଏବଂ ମହିଳାଙ୍କ ଉପରେ ମଧ୍ୟ ତାଲିବାନ ଆତଙ୍କବାଦୀଙ୍କ ଅତ୍ୟାଚାର ବଢ଼ି ଚାଲିଛି। ଯୁବତୀ ଏବଂ ମହିଳାଙ୍କୁ ଅପରହଣ କରି ତାଲିବାନ ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ସହ ବିବାହ କରୁଛନ୍ତି। ତାଲିବାନର ବଢ଼ୁଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ପରିବାର ଲୋକ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି।
Powered by Froala Editor