ଆଜି ଚାଷୀଙ୍କ ଆକାଉଂଟକୁ ଆସିବ ୨ ହଜାର ଟଙ୍କା
ନୂଆଦିଲ୍ଲୀ : ଆଜି ଚାଷୀମାନଙ୍କ ଆକାଉଂଟକୁ ୨ ହଜାର ଟଙ୍କା ଆସିବ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର କିସ୍ତି ସୋମବାର କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଦେଶର ୯.୭୫ କୋଟିରୁ ଅଧିକ କୃଷକଙ୍କ ଖାତାରେ ୧୯୫୦୦ କୋଟିରୁ ଅଧିକ ଟଙ୍କା ଜମା ହେବବୋଲି ପିଏମଓ ପକ୍ଷରୁ କୁହାଯାଇଛି ।
ଅପରାହ୍ନ ୧୨ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିସ୍ତି ପ୍ରଦାନର ଶୁଭାରମ୍ଭ କରିବେ । ସୂଚନାଯୋଗ୍ୟଯେ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପଞ୍ଜୀକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ବର୍ଷକୁ ୩ଟି କିସ୍ତିରେ କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ଏହି ଅର୍ଥ ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ଏଯାବତ ୧୩୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ।
ଓଡ଼ିଶା ସରକାର ମଧ୍ୟ କାଳିଆ ଯୋଜନାରେ ଚାଷୀଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଏହି ଯୋଜନାରେ ୧୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ଚାଷୀଙ୍କୁ କାଳିଆ ଯୋଜନାରେ ୪ ହଜାର ଟଙ୍କା ମିଳୁଛି । କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେଉଥିବାରୁ ରାଜ୍ୟ ସରକାର କେବଳ ୪ ହଜାର ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି ।
Powered by Froala Editor