ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏନେଇ ସଙ୍କେତ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ହୋଇଥିବା ୧୫ ଦିନିଆ ଆଗୁଆ ପାଣିପାଗ ଆକଳନରୁ ଏଭଳି ସମ୍ଭାବନା ବିଷୟରେ ସୂଚନା ମିଳିଥିବା ସେ କହିଛନ୍ତି। ଏହି ଖବର ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟି ହେବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟର ସ୍ଥିତି, ତୀବ୍ରତା ଏବଂ ରୂପରେଖ ସମ୍ପର୍କରେ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଆକଳନ ଜାରି କରାଯାଇନାହିଁ। ଏହା କେଉଁ ଅଞ୍ଚଳରେ ସୃଷ୍ଟି ହେବ, କେଉଁ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବ କେତେ ରହିବ, ସେନେଇ ଏବେଠାରୁ କିଛି ସ୍ପଷ୍ଟ କହିବା ସମ୍ଭବ ନୁହେଁ। ତେଣୁ ଆଗାମୀ ଦିନରେ ପାଣିପାଗ ବିଭାଗର ନୂଆ ଆକଳନ ଉପରେ ନଜର ରହିବ।
ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ସାଧାରଣତଃ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବଙ୍ଗୋପସାଗରରେ ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇସାରିଛି। ୧୯୮୭ ମସିହା ପରେ ଏଭଳି ସ୍ଥିତି ସାମ୍ନା କରିବାକୁ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି।
ଏହା ପଛରେ ଷ୍ଟ୍ରଙ୍ଗ୍ ଏଲ୍ନିନୋର ପ୍ରଭାବ ରହିଥାଇପାରେ ବୋଲି ମଧ୍ୟ ମତ ରଖିଛନ୍ତି IMD ଡିଜି। ଏଲ୍ନିନୋ ଯୋଗୁଁ ବାୟୁମଣ୍ଡଳୀୟ ଓ ସମୁଦ୍ର ପରିସ୍ଥିତିରେ ପରିବର୍ତ୍ତନ ଆସିଥାଏ, ଯାହା ପାଣିପାଗର ଗତିବିଧିକୁ ପ୍ରଭାବିତ କରିପାରେ।
ତେବେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ନଜର ଏବେ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ରହିଛି।
Powered by Froala Editor