ଉପକୂଳ ଓଡ଼ିଶାରେ ବି କାଁ ଭାଁ ବର୍ଷା ଆଶଙ୍କା
ଭୁବନେଶ୍ୱର: ବାତ୍ୟା ଅକଭାନ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଆଜି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା କମିଯିବ । ଉପକୂଳ ଓଡ଼ିଶାରେ ବି କାଁ ଭାଁ ବର୍ଷା ଆଶଙ୍କା ଅଛି । କୌଣସି ସ୍ଥାନରେ ଆଉ ଜୋର୍ରେ ପବନ ବହିବନି । କିନ୍ତୁ ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକ ବର୍ଷା ହୋଇପାରେ ।ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି । ଉତ୍ତର ଓଡ଼ିଶାରେ ବାଲେଶ୍ୱର ଓ ଭଦ୍ରକରେ ଶନିବାର ପାଇଁ ଛୁଟି ଘୋଷଣା କରାଯାଇଛି । ବିଭିନ୍ନ ଜିଲ୍ଲା ପ୍ରଶାସନକୁ ଏବେ ବି ସତର୍କ କରି ରଖାଯାଇଛି । ବାତ୍ୟା ‘ଅକଭାନ୍’ ଶୁକ୍ରବାର ଗୋପାଳପୁର ପାଖରେ ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ଭିତରେ ଲ୍ୟାଣ୍ଡ୍ଫଲ୍ କରିଥିଲା । ଲ୍ୟାଣ୍ଡଫଲ୍ ବେଳେ ୭୦ରୁ ୮୦ କିମି ବେଗରେ ପବନ ବହିଥିଲା ବୋଲି ଆଇଏମ୍ଡି ସୂଚନା ଦେଇଛି । କିନ୍ତୁ ଲ୍ୟାଣ୍ଡ୍ଫଲ ବେଳେ ଏହା ଫୁସ୍କି ଯାଇ ଦ୍ରୁତ ଗତିରେ ଦୁର୍ବଳ ହୋଇଥିଲା । ପ୍ରଥମେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଥିଲା । ରାତି ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସି ଆସିଛି । ଏହ ପ୍ରଭାବରେ ବିଶେଷ ପବନ ବା ବଡ଼ କ୍ଷତି ହୋଇନି ସତ, କିନ୍ତୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ।
ଗତ ୨୪ ଘଣ୍ଟାରେ ଗୋପାଳପୁରରେ ୧୮୯ ମିମି ବର୍ଷା ହୋଇଛି । ଗଞ୍ଜାମର ପାତ୍ରପୁରରେ ୧୧୯ମିମି, ଚାନ୍ଦବାଲିରେ ୧୦୨, ଅସ୍ତରଙ୍ଗରେ ୧୦୧, ପୁରୀରେ ୬୧, ଭଦ୍ରକରେ ୫୦.୮, ଜି ଉଦୟଗିରିରେ ୭୪, କନ୍ଧମାଳରେ ୩୩ମିମି ବର୍ଷା ହୋଇଛି ।
Powered by Froala Editor