'ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ଏହା କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର (Information & Communication) ପାଇଁ ଏକ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା (Seamless Information & Communication Mechanism) ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ସୂଚନା ସେବା ଅଧିକାରୀଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଛନ୍ତି ଯେ ବର୍ତ୍ତମାନର ସମୟ କେବଳ ପାରମ୍ପରିକ ପ୍ରିଣ୍ଟ ବା ଇଲେକ୍ଟ୍ରୋନିକ୍ସ ମିଡିଆର ସମୟ ନୁହେଁ, ବରଂ ସୋସିଆଲ ମିଡିଆ ଏବଂ କ୍ରିଏଟର ଇକୋନୋମିର ଯୁଗ। ପ୍ରତ୍ୟେକ ନାଗରିକଙ୍କ ହାତରେ ଥିବା ମୋବାଇଲ୍ ଫୋନ୍ ଆଜି ଏକାଧାରରେ ଖବରକାଗଜ, ଟେଲିଭିଜନ, ରେଡିଓ ଏବଂ ଏକାଧିକ ଯୋଗାଯୋଗର ମାଧ୍ୟମ ପାଲଟିଛି। ତେଣୁ ସରକାରୀ ଅଧିକାରୀମାନଙ୍କୁ କେବଳ ପ୍ରେସ୍ ରିଲିଜ୍ ଜାରି କରିବାରେ ସୀମିତ ନ ରହି ଜଣେ ଦକ୍ଷ କମ୍ୟୁନିକେସନ ପ୍ରଫେସ୍ନାଲ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ।
ଖବର ପରିବେଷଣ ଏବଂ ସରକାରୀ ଯୋଗାଯୋଗର ମୂଳସ୍ତମ୍ଭ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଯୋଗାଯୋଗ ଶୈଳୀ ସବୁବେଳେ ତିନୋଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ ହେବା ଉଚିତ୍-ସେଗୁଡ଼ିକ ହେଲା ତଥ୍ୟଗତ ସଠିକତା, ସମୟୋପଯୋଗୀ ଦ୍ରୁତତା ଏବଂ ସରଳତା (Accuracy, Speed, Simplicity)। ସରକାରୀ ତଥ୍ୟ କିମ୍ବା ପରିସଂଖ୍ୟାନରେ କୌଣସି ଭୁଲ୍ ଗ୍ରହଣୀୟ ନୁହେଁ। ଡିଜିଟାଲ ଯୁଗରେ ସୂଚନା ପ୍ରଦାନରେ ବିଳମ୍ବ ହେଲେ ଏକ ସୂଚନା ଶୂନ୍ୟତା ସୃଷ୍ଟି ହୁଏ, ଯାହାର ସୁଯୋଗ ନେଇ ଅନେକ ସମୟରେ କିଛି ଲୋକ ଭୁଲ୍ ଓ ବିଭ୍ରାନ୍ତିକର ସୂଚନା ପ୍ରଦାନ କରିଥାନ୍ତି। ତେଣୁ ସଠିକ୍ ସୂଚନାକୁ ଦ୍ରୁତ ଗତିରେ ଏବଂ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ।
ଆଜିର ଏହି କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଡିପ୍-ଫେକ୍, କ୍ଲୋନ୍ ହୋଇଥିବା ସ୍ୱର ଏବଂ କୃତ୍ରିମ ଭିଡିଓଗୁଡ଼ିକ ସମାଜରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ଭୁଲ୍ ଖବର ଶୀଘ୍ର ବ୍ୟାପିଥାଏ। ତେଣୁ ଯେକୌଣସି ତଥ୍ୟ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ସରକାରୀ ଅଧିକାରୀମାନେ ଆଜୀବନ ଶିକ୍ଷାର୍ଥୀ ହୋଇ ଡିଜିଟାଲ୍ ମିଡିଆ, ଫ୍ୟାକ୍ଟ-ଚେକିଂ, ଏବଂ ଭିଡିଓ କଣ୍ଟେଣ୍ଟ୍ କ୍ରିଏସନ୍ରେ ଦକ୍ଷତା ହାସଲ କରିବା ଆବଶ୍ୟକ।
ସରକାରଙ୍କ ପକ୍ଷରୁ ସୂଚନା ସେବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲାଠାରୁ ମୁଖ୍ୟାଳୟ ପର୍ଯ୍ୟନ୍ତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଡିଜିଟାଲ ଯୁଗର ଏହି ପରିବର୍ତ୍ତନଶୀଳ ପରିବେଶରେ ଅଧିକାରୀମାନେ କେବଳ ସୂଚନା ପ୍ରସାର କରିବାରେ ସୀମିତ ନ ରହି, ସରକାରଙ୍କ ପ୍ରତ୍ୟେକଟି ଜନକଲ୍ୟାଣକାରୀ କାର୍ଯ୍ୟକୁ ସଚ୍ଚୋଟତା ଓ ପ୍ରତିବଦ୍ଧତାର ସହ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଚିତ୍।
ସରକାରୀ ଯୋଜନା ଓ ସଫଳତାର ପ୍ରକୃତ ତଥ୍ୟକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ, ଏବଂ ଜଣେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ସକରାତ୍ମକ ମନୋଭାବ ତଥା କାର୍ଯ୍ୟଶୈଳୀ ନିଶ୍ଚିତ ଭାବରେ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ପ୍ରେରଣା ଫଳରେ ହିଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଛି।
ଆଜିର ଡିଜିଟାଲ ଯୁଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ ମତବ୍ୟକ୍ତ କରିଥିଲେ ଯେ, ଆଜିର ଏହି ଅଧିବେଶନଟି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିବେଶନମାନଙ୍କ ମଧ୍ୟରୁ ଅନ୍ୟତମ; କାରଣ ସୋସିଆଲ ମିଡିଆ ବର୍ତ୍ତମାନ ପ୍ରଶାସନର ଏକ ଅପରିହାର୍ଯ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏହି ଗଣମାଧ୍ୟମର ସଠିକ୍ ଓ ପ୍ରଭାବଶାଳୀ ବ୍ୟବହାର କରି ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବାକୁ ସେ କହିଥିଲେ।
ଏହି ଅବସରରେ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ 'ଇ-ସଞ୍ଚାର ଆପ୍'କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସୂଚନା ସେବା ସଂଘ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ପତ୍ରିକା "ଲୋକସମ୍ପର୍କ" ର ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।
Powered by Froala Editor