ଓଡ଼ିଶାର ଡିଜିପି ଚୟନ ନେଇ ଶୁଣାଣି ଆଜି
ଭୁବନେଶ୍ୱର: ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ କ’ଣ ଆସୁଛି ତାକୁ ନେଇ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ରାଜ୍ୟରେ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର କାମଚଳା ପୋଲିସ ଡିଜି ଭାବେ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ତାରିଖରେ ଶେଷ ହେବ। ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ ଶୁଣାଣି କରିବା ପାଇଁ ରାଜ୍ୟ ସରକାରଙ୍କ ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ନିବେଦନ କରିଥିବା କଥା କହିଛନ୍ତି। ପୋଲିସ ଡିଜିପି ଚୟନରେ ରାଜ୍ୟ ସରକାର ସ୍ବଚ୍ଛତା ରଖି ନ ଥିବା ଏବଂ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଅନୁପାଳନ କରିନାହାନ୍ତି ବୋଲି ବାଲେଶ୍ୱରର ଜୟନ୍ତ ଦାସ ଅଭିଯୋଗ କରି ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଜୟନ୍ତଙ୍କ ପିଆଇଏଲ୍କୁ ସୁପ୍ରିମକୋର୍ଟଙ୍କ ସହଯୋଗୀ ଆମିକସ୍କ୍ୟୁରୀ ମଧ୍ୟ ଠିକ୍ ବୋଲି ଦର୍ଶାଇବା ସହିତ ସରକାର ଅନେକଗୁଡିଏ ନିଷ୍ପତ୍ତିରେ ସ୍ବଚ୍ଛତା ରଖିନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଅନ୍ୟପଟେ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ବର୍ତ୍ତମାନ ଓଡ଼ିଶାର ଜେଲ୍ ଡିଜି ଥିବା ସୁଶାନ୍ତ କୁମାର ନାଥ ମଧ୍ୟ ରାଜ୍ୟ ସରକାର ତାଙ୍କ କ୍ଷେତ୍ରରେ ଅନ୍ୟାୟ କରିଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଦାଏର ଉକ୍ତ ପିଆଇଏଲ୍ର ଏକ ପକ୍ଷ ହୋଇଛନ୍ତି। ମାତ୍ର ରାଜ୍ୟ ସରକାର ଡିଜିପି ଚୟନରେ କୌଣସି ଅନିୟମିତତା କରିନାହାନ୍ତି ବୋଲି ଯୁକ୍ତି ରଖିଛନ୍ତି।
Powered by Froala Editor