ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ
ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ଏ ନେଇ ସୂଚନା ଦେଇଛନ୍ତି।
ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍ ପଡ଼ିଛି। ବାଦ୍ ପଡ଼ିଥିବା ଭୋଟର ମଧ୍ୟରେ ମୃତ ଭୋଟର ୮,୩୨,୫୪୪ ରହିଛନ୍ତି। ସେହିପରି ସ୍ଥାନାନ୍ତରିତ ୮,୦୮,୨୦୫ ଭୋଟର, ଅନୁପସ୍ଥିତ ୧,୯୯,୨୪୯ ଭୋଟର, ଏକାଧିକ ସ୍ଥାନରେ ନାମ ୧,୫୮,୧୧୮ ଭୋଟର ଓ ଅନ୍ୟାନ୍ୟ କାରଣ ପାଇଁ ୧୪,୪୪୧ ଜଣ ରହିଛନ୍ତି।
ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।
ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟର ମୋଟ ଭୋଟର ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ରହିଛନ୍ତି। ସେଥିରେ ପୁରୁଷ ଭୋଟର ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ ଏବଂ ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ରହିଛନ୍ତି।ତୃତୀୟ ଲିଙ୍ଗ ୨,୭୭୪ ଏବଂ ସର୍ଭିସ ଭୋଟର ୪୬,୮୧୬ ଜଣ ରହିଛନ୍ତି। ଲିଙ୍ଗ ଅନୁପାତ (Gender Ratio): ୯୬୧ ରହିଛି।
ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି। ନାଁ କାଟିବା ପାଇଁ ଫର୍ମ-୭ ମିଳିବ। ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ।
Powered by Froala Editor