ରାଜଧାନୀରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ
ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ପାର୍ବଣ ଋତୁରେ ଘାଟିକିଆ ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ଫେସବୁକ୍ ଲାଇଭ୍ କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେବା ସହ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ମିଳିଛି । ମାଡ଼ପିଟ ଓ ମରଣାନ୍ତକ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି ଜଣେ ଯୁବକ ଫେସବୁକ୍ ଲାଇଭ୍ କରି ଏକ ମାମଲା ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଉକ୍ତ ଭିଡିଓଟି ଭାଇରାଲ ହୋଇଥିଲା । ଏହାକୁ ନେଇ ଅପରପକ୍ଷ ଉତ୍ତ୍ୟକ୍ତ ହୋଇ ବିଳମ୍ବିତ ରାତିରେ ଘାଟିକିଆରେ ପହଞ୍ଚିଥିବା ଜଣାପଡ଼ିଛି। ସେହି ସମୟରେ ଘାଟିକିଆରେ ଗଣେଶ ପୂଜା ବିସର୍ଜନ ଚାଲିଥିବାରୁ ପେଣ୍ଡାଲ ନିକଟରେ ବହୁ ଯୁବକ ଉପସ୍ଥିତ ଥିଲେ । ଫେସବୁକ୍ ଲାଇଭ୍ କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗଣ୍ଡଗୋଳ ଓ ମାଡ଼ପିଟ ଆରମ୍ଭ ହୋଇଥିଲା । ବାହାରୁ ଆସିଥିବା କିଛି ବ୍ୟକ୍ତି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Powered by Froala Editor