ବେଆଇନ ଗୋ-ଚାଲାଣ ବେଳେ ବଡ଼ ଦୁର୍ଘଟଣା, ୩ ବଳଦ ମୃତ
ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ ଗୋରୁ ବୋଝେଇ ଏକ ଓଡି ୩୩ ଏମ୍ ୦୪୦୧ ନମ୍ବର ବିଶିଷ୍ଟ ପିକ୍ଅପ୍ର ଚକା ଫାଟିଯିବା ଫଳରେ ଗାଡ଼ି ଭିତରେ ଚାପି ହୋଇ ୩ଟି ବଳଦଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋରୁମାନେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗୋ-ମାଫିଆ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ପିକ୍ଅପ୍ ଗାଡ଼ି ବୁଗୁଡ଼ା-ମାଣିତରା ପଥ ଦେଇ ଜଗନ୍ନାଥପ୍ରସାଦ ଆଡ଼କୁ ଆସୁଥିଲା। ୨୧ ନମ୍ବର ରାଜ୍ୟ ରାଜପଥ ସଂଯୋଗ ସ୍ଥଳର କିଛି ବାଟ ପୂର୍ବରୁ ହଠାତ୍ ଗାଡ଼ିର ବାମ ପଟ ପଛ ଚକାଟି ଫାଟି ସମ୍ପୂର୍ଣ୍ଣ ବାହାରି ଯାଇଥିଲା। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ପ୍ରାୟ ୫୦ ମିଟର ଯାଏ ଘୋଷାଡ଼ି ହୋଇଯାଇଥିଲା। ଗୋ’-ମାଫିଆମାନେ ଗିରଫ ଭୟରେ ଗାଡ଼ିଟିକୁ ରାସ୍ତା ଉପରେ ଛାଡ଼ି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ସକାଳୁ ସ୍ଥାନୀୟ ଲୋକେ ଗାଡ଼ି ଭିତରେ ଭର୍ତ୍ତି ହୋଇଥିବା ୧୪ଟି ଗୋରୁ ଓ ଷଣ୍ଢଙ୍କୁ ଆର୍ତ୍ତଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଚାପି ହୋଇ ୩ଟି ବଳଦଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା। ଏହାପରେ ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅସୁସ୍ଥ ଓ ଆହତ ଗୋରୁ-ଷଣ୍ଢଙ୍କୁ ପ୍ରାଣୀ ବିଭାଗୀୟ ବିଭିଓ ଡାକ୍ତର ନିହାର ରଞ୍ଜନ ସାମନ୍ତରାୟ ନିର୍ଦ୍ଦେଶକ୍ରମେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଖବର ପାଇ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor