ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ବର: କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଉକ୍ତ ଘାଟିରେ ଶହ ଶହ ଗାଡ଼ି ଅଟକି ରହିଛି।
ପ୍ରକାଶ ଯେ, ଛତିଶଗଡ଼ରୁ ଏକ ଲୁହା ବୋଝେଇ ଟ୍ରକ୍ ଉକ୍ତ ଘାଟି ରାସ୍ତା ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଚାଳକ ଗୁଗୁଲ୍ ମ୍ୟାପ୍ ଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଗାଜଲବାଡ଼ି ଘାଟିର ପ୍ରଥମ ବୁଲାଣି ପରେ ଦ୍ୱିତୀୟ ବୁଲାଣିରେ ଗାଡ଼ିଟିକୁ ଠିକ୍ ଭାବେ ମୋଡ଼ି ପାରିନଥିଲେ। ଫଳରେ ଟ୍ରକ୍ଟି ସିଧା ଯାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଥିଲା।
ଏହି ଦୁର୍ଘଟଣା ଯୋଗୁ ଗାଜଲବାଡ଼ି ଘାଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡ଼ା ଓ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ସୋରଡ଼ା, ଭଞ୍ଜନଗର ଆଦି ଅଞ୍ଚଳକୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଉକ୍ତ ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମୋଟ ୭୪୨ କୋଟି ଟଙ୍କାର ଅନୁଦାନ ରହିଛି। କିନ୍ତୁ କୌଣସି କାରଣରୁ ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି।
ସେପଟେ, ବିଭାଗ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରୀଯାନ ଚଳାଚଳ ପାଇଁ ବାରଣ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ଏହାର ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି। ଫଳରେ ବାରମ୍ବାର ଉକ୍ତ ଘାଟିରେ ଭାରୀଯାନ ଦୁର୍ଘଟଣା ଘଟିବା ସହ ବିଭିନ୍ନ ସମସ୍ୟା ଦେଖାଦେଉଛି।
Powered by Froala Editor