ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଏହି ଦିନ ହେଲା ଲଗ୍ନ ଧାର୍ଯ୍ୟ
ସମ୍ୱଲପୁର: ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି ନକ୍ଷତ୍ରାନୁସାରେ ସମବେତ ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନାନୁସାରେ ଆସନ୍ତା ୧୫ ତାରିଖ (ମଙ୍ଗଳବାର) ନୂଆଁଖାଇ ସକାଶେ ଲଗ୍ନ ଶୁଭ ହୋଇଛି। ଧାର୍ଯ୍ୟ ଲଗ୍ନକୁ ଆଧାର କରି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍ ଗତେ ୯ଟା ୫୪ ମିନିଟ୍ ମଧ୍ୟେ ତୁଳା ଲଗ୍ନେ ବୃଷ ନବାଂଶେ ଇଷ୍ଟଦେବୀ ଦେବୀ ସମଲେଇଙ୍କଠାରେ ପ୍ରଥମେ ନବାନ୍ନ ଲାଗିବ। ତେଣୁ ପରମ୍ପରା ଓ ରୀତିନୀତିକୁ ଦୃଷ୍ଟିରେ ରଖି ଇଷ୍ଟ ଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ଜନସାଧାରଣ ନୂଆଁଖାଇ ଭୋଗ ଖାଇପାରିବେ ବୋଲି ସ୍ଥିରୀକୃତ ହୋଇଛି।
ସମ୍ୱଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଶନିବାର ନୂଆଁଖାଇ ଲଗ୍ନଧାର୍ଯ୍ୟ ଲାଗି ସଭା ହୋଇଥିଲା। ଝାଡୁଆପଡ଼ା ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ମହାସଭା କର୍ମକର୍ତ୍ତାଙ୍କ ସମେତ ସମ୍ୱଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଜ୍ୟୋତିଷ ଓ ପଣ୍ଡିତମାନେ ସାମିଲ ହୋଇଥିଲେ। ସମବେତ ପଣ୍ଡିତ ଓ ଜ୍ୟୋତିର୍ବିଦମନେ କ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଥିଲେ। ନିର୍ଦ୍ଧାରିତ ଲଗ୍ନକୁ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା ସର୍ୱସମ୍ମତିକ୍ରମେ ଗ୍ରହଣ କରିଥିଲେ। ପ୍ରଥମେ ବ୍ରହ୍ମପୁରା ଠାକୁରଙ୍କଠାରେ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସରୋଜ କୁମାର ଦଳପତ ଧାର୍ଯ୍ୟ ଲଗ୍ନ ପାଠ କରିଥିଲେ। ସେଠାରୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ, କର୍ମକର୍ତ୍ତା ଏବଂ ପଣ୍ଡିତମାନେ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଗୋଧୂଳି ଲଗ୍ନରେ ସମଲେଇ ମନ୍ଦିର ପୀଠରେ ପହଞ୍ଚି ଥିଲେ। ମନ୍ଦିର ମୁଖ୍ୟ ଫାଟକଠାରେ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଓ ପୂଜକମାନେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୂଆଁଖାଇ ଲଗ୍ନ ଅର୍ପଣ ନୀତି ହୋଇଥିଲା। ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ୱିକା ପ୍ରସାଦ ରାୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସଭ୍ୟଙ୍କ ସମେତ ପୂଜକମାନେ ପରମ୍ପରାନୁସାରେ ଲଗ୍ନ ଗ୍ରହଣ କରିଥିଲେ। ଜୟ ମା’ ସମଲେଇ ଧ୍ୱନିରେ ଲଗ୍ନ ଗ୍ରହଣ ନୀତିକାନ୍ତି ହୋଇଥିଲା। ସମ୍ୱଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ଅମରନାଥ ସୂପକାର, ସୂର୍ଯ୍ୟକୁମାର ମିଶ୍ର, ଶ୍ରୀମନ୍ତ୍ର ମିଶ୍ର, ସୁଶାନ୍ତ କୁମାର ପୁରୋହିତ, ପ୍ରାଣରଞ୍ଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Powered by Froala Editor