ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ବନ୍ୟାରେ ୧୨୦ରୁ ଅଧିକ ଗାଁ ପ୍ରଭାବିତ
ଭୁବନେଶ୍ବର : ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ଅତି ପ୍ରବଳ ବର୍ଷା ପାଇଁ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଜାମଶୋଳାଘାଟ ଏବଂ ରାଜଘାଟରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି। ବନ୍ୟାରେ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୧୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି କେବଳ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ରହିଛି। ଅନ୍ୟ କୌଣସି ନଦୀରେ ବନ୍ୟା ଭୟ ନାହିଁ। ବୈତରଣୀ ଜଳସ୍ତର ବଢ଼ୁଥିଲା, କିନ୍ତୁ ଏବେ କମୁଛି। ଜଳକାରେ ପାଣି ବଢୁନାହିଁ, ହେଲେ ଦୁଇଦିନ ହେଲା ସ୍ଥିର ରହିଛି। ମହାନଦୀରେ ମଧ୍ୟ କୌଣସି ବନ୍ୟାସ୍ଥିତି ନାହିଁ ବୋଲି ସେ କହିଛନ୍ତି।
ସେପଟେ ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ନିକଟରେ ଜଳସ୍ତର ରହିଛି। ଗତକାଲି ବୈତରଣୀରେ ବନ୍ୟାସ୍ଥିତି ଥିବା ବେଳେ ଜଳସ୍ତର କମୁଛି ସତ ହେଲେ ତଳିଆ ଅଞ୍ଚଳରୁ ବନ୍ୟାଜଳ ଛାଡ଼ିନାହିଁ। ଯାଜପୁର ଏବଂ ଭଦ୍ରକ ଜିଲାର କେତେକ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ବୈତରଣୀ, ବ୍ରାହ୍ମଣୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଘାଇ ମରାମତି ହୋଇପାରୁନି। ତେଣୁ କିଛି ଅଞ୍ଚଳରେ ପାଣି ପଶୁଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଦୁଇରୁ ତିନି ଦିନ ଭିତରେ ବର୍ଷା ନାହିଁ। ଏହି ସମୟ ଭିତରେ ଘାଇ ମରାମତି ହେବ। ସୁବର୍ଣ୍ଣରେଖା ଓ ବୈତରଣୀ ବିପଦ ସଙ୍କେତ ଟପିବା ପରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ତଳିଆ ଅଞ୍ଚଳ ଉବୁଟୁବୁ ହେଉଛି।
ଆଖୁଆପଦା ନିକଟରେ ବୈତରଣୀ ବିପଦ ସଙ୍କେତ ଟପିବା ପରେ ଯାଜପୁର ଜିଲାର ଦଶରଥପୁର ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇଛି। ଭଦ୍ରକ ଜିଲା ଧାମନଗର ଓ ଚାନ୍ଦବାଲିର ୨୪ଟି ପଞ୍ଚାୟତ ଜଳବନ୍ଦୀ ହୋଇପଡ଼ିଛି। ବାରିପଦା ସହରରେ ବନ୍ୟାପାଣି ଛାଡ଼ି ଯାଇଛି ସତ ହେଲେ ଲୋକଙ୍କର ଦୁର୍ଦଶା କମିନାହିଁ। ମୟୂରଭଞ୍ଜ ଜିଲାର ବେତନଟୀ, ବଡ଼ସାହି ଏବଂ ବାଙ୍ଗିରିପୋଷି ଆଦି ବ୍ଲକର ଅନେକ ଗାଁ ଜଳମଗ୍ନ ରହିଛି।
ଆସନ୍ତା ୮ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକର ପ୍ରାଥମିକ ଆକଳନରୁ ଜଣାପଡୁଛି। ଆସନ୍ତା ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ଓ ଏହାର ପ୍ରଭାବ ଉପରେ ଅଧିକ ସ୍ପଷ୍ଟତା ଆସିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ସେ କହିଛନ୍ତି, ଆସନ୍ତା ୫ରୁ ୬ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗର ଅଞ୍ଚଳର ଉପରିସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୮ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨ରୁ ୪ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୫ରୁ ୮ତାରିଖ ମଧ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ୨ରୁ ୪ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ କାଁ ଭାଁ ବର୍ଷାର ସମ୍ଭାବନା ରହିଛି। ଉପକୂଳରେ ୨ରୁ ୪ ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୫ରୁ ୮ତାରିଖ ମଧ୍ୟରେ ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ୨ରୁ ୪ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ପାଗ ଶୁଖିଲା ରହିପାରେ। ୫ରୁ ୮ ତାରିଖ ଅପରାହ୍ଣରେ କୋରାପୁଟ, ରାୟଗଡ଼ା ଏବଂ ଗଞ୍ଜାମ ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ଏହି ସବୁ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor