ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ହେବ ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ । ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍ର ଶୁଭାରମ୍ଭ ହେବ । ସର୍ବୋପରି, ଏହି ସଦସ୍ୟତା ଅଭିଯାନ “ସମ୍ବନ୍ଧ” ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଯାହାକି ସମବାୟ ସେବାକୁ ସମସ୍ତ ଘରେ ଘରେ ପହଞ୍ଚାଇବାର ପଥ ସୁଗମ କରିବ ଓ ଗ୍ରାମୀଣ ଜୀବନ ଶୈଳୀକୁ ସହଜ ଓ ଉନ୍ନତ କରିବାରେ ସହାୟ ହେବ । ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ । ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ ।
ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ୭୬ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ୧ତାରିଖ ଦିନ ଆଭାଷୀ ମାଧ୍ୟମରେ ଆଉ ୨୧ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରାଯିବ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି କମ ମୂଲ୍ୟରେ ଭଡ଼ା ସୂତ୍ରରେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟ କରିପାରିବେ, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକୁ କୃଷି ସେବା କେନ୍ଦ୍ର ରୂପେ ବିକଶିତ କରାଯାଉଛି ଏବଂ ଏଭଳି ୫୦ଟି କୃଷି ସେବା କେନ୍ଦ୍ରର ଶୁଭାରମ୍ଭ ହେବ । ଏହା ସହିତ ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା ପାଇଁ ୪୬ଟି ଖାଉଟି କେନ୍ଦ୍ର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ସେବା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦ଟି ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ । ସ୍ୱଚ୍ଛତା ଓ କ୍ଷମତା ବୃଦ୍ଧି ପାଇଁ ପ୍ୟାକ୍ସଗୁଡିକୁ ଜାତୀୟ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ ସଫ୍ଟୱେର୍ (NLPS)ରେ ସାମିଲ କରାଯାଉଥିବା ବେଳେ ୨୦୦ଟି ପ୍ୟାକ୍ସକୁ ମଙ୍ଗଳବାର ଏଥିରେ ସାମିଲ କରାଯିବ ।
ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପରିକଳ୍ପନା ସ୍ବରୂପ ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା ୧୦୦ଟି ମଡେଲ ମଣ୍ଡି ସ୍ଥାପିତ ହେବ । ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା ୩୮ଟି ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ ୨ଟି, ଖୋର୍ଦ୍ଧାରେ ୧ଟି ଏବଂ ପୁରୀରେ ୧ଟି ସମେତ ମୋଟ ୪ଟି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ଆଭାଷୀ ମାଧ୍ୟମରେ ସ୍ଥାପନ କରାଯିବ । ଅବଶିଷ୍ଟ ମଣ୍ଡି ପାଇଁ ସ୍ଥାନ ଚିହ୍ନଟ ସହ ଡିପିଆର ମଧ୍ୟ ଚୂଡ଼ାନ୍ତ ସରିଛି । ଏହା ବ୍ୟତୀତ, କେନ୍ଦ୍ର ସରକାରଙ୍କ ସମବାୟ ବିଭାଗର ‘ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା’ ଅଧୀନରେ ପ୍ରଥମ ଦଫାରେ ନିର୍ମାଣ ହେବାକୁ ଥିବା ୧୯ଟି ଗୋଦାମ ମଧ୍ୟରୁ ୩ଟିର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଗତ ମାର୍ଚ୍ଚ ମାସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ ଅବସରରେ ୧୨ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାସହିତ ରାଜ୍ୟ ପଣ୍ୟାଗାର ନିଗମ (OSWC) ରେ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ।
Powered by Froala Editor