ହାତୀ ଆକ୍ରମଣରେ ଜଣେ ଯୁବକ ମୃତ
ପାଟଣା: ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅନ୍ତର୍ଗତ ଦୁଧିଆଚୁଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କେରି ଗ୍ରାମ ବଡ଼ପଶି ସାହିର ନବଘନ ନାଏକ।ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦ଟି ହାତୀ ଥିବା ଏକ ହାତୀପଲକୁ ଘଉଡ଼ାଇବା ପାଇଁ ନବଘନ ଅନ୍ୟମାନଙ୍କ ସହ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ଫଳରେ ନବଘନ ଗୁରୁତର ହୋଇଥିଲେ।ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନବଘନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା-ନିରୀକ୍ଷା କରିବା ପରେ ନବଘନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor