ଅଗଷ୍ଟ ୧ରୁ ୨୪ ପର୍ଯ୍ୟନ୍ତ ରାଜ୍ୟର ବର୍ଷା ପରିମାଣ ରହିଛି ୩୨୭ ମିମି
ଭୁବନେଶ୍ବର : ଅଗଷ୍ଟ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବର୍ଷା ପରିମାଣ ୩୨୭ ମିମି ରହିଛି। ଏହା ସ୍ୱାଭାବିକ ୨୭୫.୬ ମିମି ତୁଳନାରେ ୧୮.୬ପ୍ରତିଶତ ଅଧିକ। ସେହିପରି ଜୁନ୍ ୧ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ୧୦୮୩.୨ ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ହାରଠାରୁ ୩୨.୧ ପ୍ରତିଶତ ଅଧିକ ବୋଲି ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଗଷ୍ଟ ମାସରେ କ୍ରମାଗତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ବେଳେ ମାସ ଶେଷରେ ହେବାକୁ ଥିବା ଆଉ ଏକ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ପ୍ରକୋପ ବଢ଼ିବ। ଏପରିସ୍ଥଳେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବା ସମ୍ଭାବନା ଜନତା ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଖୁଆପଦାଠାରେ ବୈତରଣୀ ଏବଂ ମଥାନିଠାରେ ଜଳକା ନଦୀର ଜଳପତ୍ତନ ଆଜି ସକାଳ ୯ଟା ସୁଦ୍ଧା ସତର୍କ ସଂକେତଠାରୁ ସାମାନ୍ୟ ଅଧିକ ରହିଛି। ଜିଲା ପ୍ରଶାସନକୁ ଜଳବନ୍ଦୀ, ତଳିଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା, କଚ୍ଚା ରାସ୍ତା ଓ ଦୁର୍ବଳ ଢାଞ୍ଚାର କ୍ଷତି, ଭୂ-ସ୍ଖଳନ ଏବଂ ବଗିଚା ଓ ଠିଆ ଫସଲର କ୍ଷତି ଭଳି ସମ୍ଭାବ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତ ସମୟରେ ଲୋକମାନେ ସୁରକ୍ଷିତ ଆଶ୍ରୟ ନେବା ସହ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ବାଲେଶ୍ୱରର ଭୋଗରାଇ ଓ ବାଲିଆପାଳ ବ୍ଲକ୍, ଭଦ୍ରକର ତିହିଡ଼ି, ଚାନ୍ଦବାଲି, ଯାଜପୁରର ଦଶରଥପୁର, ବରୀ, ରସୁଲପୁର, ବିଞ୍ଝାରପୁର, ଯାଜପୁର, କେନ୍ଦ୍ରାପଡ଼ାର ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, କଳାହାଣ୍ଡିର ଥୁଆମୂଳ ରାମପୁର, ଜୟପାଟଣା, କଲମପୁର, କୋକସରା, ଜୁନାଗଡ଼ ଏବଂ କୋରାପୁଟର କୋଟପାଡ଼ ବ୍ଲକ୍ ପ୍ରଭାବିତ ହୋଇ ରହିଛି। ବିଭିନ୍ନ ଜିଲାରେ ରିଲିଫ୍ କ୍ୟାମ୍ପ ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ଓ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ମୋଟ ୬୭ଟି ଟିମ୍ ମୁତୟନ ହୋଇଛନ୍ତି। ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଏସଡିଆରଏଫ୍ରୁ ପର୍ଯ୍ୟାୟକ୍ରମେ ମୋଟ ୧୭୦.୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାସହ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମୋଟ ୧୫୬୨.୮୧ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଣ ହୋଇଛି।
Powered by Froala Editor