ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା
କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ କେନ୍ଦ୍ର ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାକୁ ତୁରନ୍ତ ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି।
ବିବୃତ୍ତି ଅନୁଯାୟୀ, ବିଟ୍ଟୁ ୨୦୨୪ ମସିହାରୁ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ରେଳ ମନ୍ତ୍ରାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ।
ଜୁନ୍ ୧୮ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ରବନୀତ ସିଂହ ବିଟ୍ଟୁଙ୍କୁ ପୁଣିଥରେ ପ୍ରାର୍ଥୀ କରିନଥିଲା। ଏହା ସତ୍ତ୍ୱେ ତାଙ୍କଠାରୁ ଇସ୍ତଫା ମଗା ଯାଇନଥିଲା। ଶେଷରେ ଶୁକ୍ରବାର ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି।
ପଞ୍ଜାବ ରାଜନୀତିରେ ସକ୍ରିୟ ବିଟ୍ଟୁ ପୂର୍ବରୁ ଲୋକସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଆଗାମୀ ପରିବର୍ତ୍ତନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Powered by Froala Editor