ବିଜେଡିର ସାମିଲ ଉତ୍ସବରେ ଶଙ୍ଖଭବନକୁ ଆସିଲେନି ଏମାନେ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଛନ୍ତି । ତେବେ ବିଜେଡିର ଏହି ସାମିଲ ଉତ୍ସବରେ ବିଜେଡିର କିଛି ପ୍ରମୁଖ ନେତୃବୃନ୍ଦ ଆସିନଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ବବି ଦାସ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ୱାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୁପିନ୍ଦର ସିଂ ପ୍ରମୁଖ ରହିଛନ୍ତି । ତେବେ ପ୍ରଭାବୀ ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।
ଯଦିଓ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ସାମିଲ ହୋଇଛନ୍ତି, କିନ୍ତୁ ତାଙ୍କ ମିଶ୍ରଣ ପର୍ବର ଆୟୋଜନ ଅଲଗା କିଛି ସଙ୍କେତ ଦେଉଛି। କୁହାଯାଉଛି ଯେ ସେ ହିଁ ‘ନବୀନଙ୍କ ଉତ୍ତରାଧିକାରୀ’ ବା ଦଳର ‘ନମ୍ବର-ଟୁ’ ଭାବେ କାର୍ୟ୍ୟ କରିବେ।
ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ରେଡ କାର୍ପେଟ ସ୍ୱାଗତ ପାଇଁ ଗତ ପ୍ରାୟ ଏକମାସ ଧରି ବ୍ୟାକଡୋରରେ ଆଲୋଚନା ଜାରି ରହିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତମାସ ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତରେ ରହିଥିବାବେଳେ ଦଳର କିଛି ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଯାଇ ସୁଜାତାଙ୍କ ଏଣ୍ଟ୍ରି ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା।
ନବୀନ ନିବାସକୁ ମଧ୍ୟ ଦଳର ବରିଷ୍ଠ ନେତାମାନଙ୍କୁ ଦୁଇ ତିନି ପର୍ୟ୍ୟାୟରେ ଡାକି ସୁଜାତାଙ୍କ ଏଣ୍ଟ୍ରି ପାଇଁ ଚାଲିଥିବା ଯୋଜନା ସମ୍ପର୍କରେ ନିଜେ ନବୀନ ଅବଗତ କରାଇଥିଲେ।
Powered by Froala Editor